ପଶ୍ଚିମ ଓଡ଼ିଶାରେ ନୂଆଁଖାଇ: ମା’ ସମଲେଇ, ଶିଖରବାସିନୀଙ୍କ ପାଖେ ନବାନ୍ନ ଲାଗି

ସୁନ୍ଦରଗଡ଼,୩।୯(ଡି.ଏନ୍‌.ଏ): ସୁନ୍ଦରଗଡ଼ର ପୁରପଲ୍ଲୀରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଛି । ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇ ଓ ରାଜପରିବାରର ଆରାଧ୍ୟା ଦେବୀ ମା’ ଶିଖରବାସିନୀଙ୍କଠାରେ ମଙ୍ଗଳବାର ଧାର୍ଯ୍ୟ ଲଗ୍ନ ଅନୁଯାୟୀ ନବାନ୍ନ ଲାଗି କରାଯାଇଛି। ମଙ୍ଗଳବାର ସକାଳ ୯ ଟାରେ ସମଲେଶ୍ୱରୀ ମନ୍ଦିରରେ ଓ ରାଜପରିବାର ପକ୍ଷରୁ ମା’ ଶିଖରବାସିନୀଙ୍କଠାରେ ନୂଆ ଚାଉଳରୁ ପ୍ରସ୍ତୁତ ନବାନ୍ନ ଲାଗି ହୋଇଥିଲା। ଏହାପରେ ସମଲେଇ ମନ୍ଦିରରେ ସ୍ଥାନୀୟ ଲୋକେ ମା’ଙ୍କ ଦର୍ଶନ କରି ପୂଜାର୍ଚ୍ଚନା ପରେ ଘରେ ନିଜ ଇଷ୍ଟଦେବଦେବୀ ଓ ପିତୃପୁରୁଷଙ୍କଠାରେ ନବାନ୍ନ ଅର୍ପଣ କରିବା ପରେ ଏକାଠି ବସି ନୂଆଁ ଖାଇଥିଲେ । ଏହା ସହ ଜୁହାରଭେଟ୍‌ ମାଧ୍ୟମରେ ବଡମାନଙ୍କୁ ମୁଣ୍ଡିଆମାରି ଆଶୀର୍ବାଦ ନେବା ସହ ଛୋଟ ମାନଙ୍କୁ ଆଶୀର୍ବାଦ କରିଥିଲେ । ନୂଆ ଚାଉଳରୁ ପ୍ରସ୍ତୁତ ଖିରି, ପୁରି, ପିଠାପଣା ଓ ନାନାଦି ବ୍ୟଞ୍ଜନରେ ମହମହ ବାସି ଉଠିଥିଲା ପ୍ରତ୍ୟେକଟି ଘର । ଏ ନେଇ ଘରଠୁ ଗାଁ ଦାଣ୍ଡ, ସହର ବଜାର ସବୁଠି ଉତ୍ସବ ମୁଖର ହୋଇପଡିଛି ।

Share