ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ମାମଲା: ସରକାରଙ୍କ ନୂତନ କମିଟିକୁ ରଦ୍ଦ ପାଇଁ ଆବେଦନ

କଟକ ଅଫିସ,୩।୧୨:ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ୫ବର୍ଷ ତଳେ ଏକ କମିଶନ ଗଠନ କରିଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ସି.ଆର୍‌. ପାଲ୍‌ଙ୍କ ଅଧ୍ୟକ୍ଷତାରେ ଏହି କମିଶନ ଗଠନ କରାଯାଇଥିଲା। ମାତ୍ର ସରକାର ଗତ ମାର୍ଚ୍ଚ ମାସରେ ଆଉ ଏକ କମିଟି ଗଠନ କରିଛନ୍ତି। ଉକ୍ତ କମିଟିକୁ ରଦ୍ଦ କରିବା ପାଇଁ ହାଇକୋର୍ଟରେ ଆବେଦନ ହୋଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌. ଝାବେରି ଓ ବିଚାରପତି ଜଷ୍ଟିସ କେ.ଆର୍‌. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମବାର ଉକ୍ତ ମାମଲାରେ ରାଜ୍ୟ ଗୃହ ବିଭାଗ ସଚିବଙ୍କ ସମେତ ସ୍ବତନ୍ତ୍ର ସଚିବ ପ୍ରମୁଖଙ୍କୁ ଜବାବ ଦାଖଲ ନିମନ୍ତେ ଆଦେଶ ଦେଇଛନ୍ତି। ଆଡ୍‌ଭୋକେଟ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଏହି ଆବେଦନ କରାଯାଇଥିଲା। ସେ ଦର୍ଶାଇଥିଲେ, ୨୦୦୮ ମାର୍ଚ୍ଚ ୧୧ରେ ଜଷ୍ଟିସ ସି.ଆର୍‌. ପାଲଙ୍କୁ ନେଇ ଏକ ଜଣିକିଆ କମିଶନ ୨୦୧୪ ମେ ୩୧ରେ ତାଙ୍କ ରିପୋର୍ଟ ସରକାରଙ୍କୁ ଦେଇଥିଲେ। ଇତିମଧ୍ୟରେ ୫ବର୍ଷ ବିତିଯାଇଥିଲେ ମଧ୍ୟ ସେହି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରାଯାଇ ନାହିଁ। ଏପରିସ୍ଥଳେ ସରକାର ଆଉ ଏକ କମିଟି ଗଠନ କରିଛନ୍ତି। ଏଥିରେ ଅର୍ଥ ବିଭାଗ ସଚିବଙ୍କ ସମେତ ରାଜସ୍ବ, ଆଇନ ବିଭାଗ ସଚିବ ପ୍ରମୁଖ ସଦସ୍ୟ ରହିଛନ୍ତି। ପୂର୍ବ କମିଶନ ବାବଦରେ ସରକାର ଦେଢ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ରିପୋର୍ଟକୁ ସାର୍ବଜନୀନ କରିନାହାନ୍ତି। ତେଣୁ ନୂତନ କମିଟିକୁ ରଦ୍ଦ କରିବା ଲାଗି ସେ ପିଟିଶନରେ ନିବେଦନ କରିଛନ୍ତି।

Share