ପଶ୍ଚିମ ଓଡ଼ିଶା ବନ୍ଦ ମାମଲା:ଗୁମର ଖୋଲିଦେଲା ଆୟକର ବିଭାଗ, ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଆଦେଶ

କଟକ ଅଫିସ, ୪ା୧୨:ପଶ୍ଚିମ ଓଡ଼ିଶାରେ ଆଇନଜୀବୀଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନ ପରେ ବି ସେଠାରେ ସବୁ ଠିକ୍‌ଠାକ୍‌ ଚାଲିଥିବା ରାଜ୍ୟ ସରକାର ହାଇକୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ ଅବଗତ କରାଇଥିଲେ। ମାତ୍ର ଏହି ଆନ୍ଦୋଳନ ଯୋଗୁ ସରକାରୀ କାର୍ଯ୍ୟାଳୟଗୁଡ଼ିକ କିଭଳି ବାଧାପ୍ରାପ୍ତ ହେଉଛି ତାହାର ଗୁମର ଆୟକର ବିଭାଗ ଖୋଲିଦେଇଛି। ହାଇକୋର୍ଟରେ ରୁଜୁ ହୋଇଥିବା ଉକ୍ତ ମାମଲାରେ ମଙ୍ଗଳବାର ଆୟକର ବିଭାଗ ପକ୍ଷଭୁକ୍ତ ହେବା ସହିତ ସତ୍ୟପାଠ ଦାଖଲ କରିଛି। ଆୟକର ବିଭାଗ ପକ୍ଷରୁ କୁହାଯାଇଛି, ଆନ୍ଦୋଳନ ଯୋଗୁ ସମ୍ବଲପୁରରେ ଥିବା ଆୟକର ଶାଖା କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇପାରୁନାହାନ୍ତି। ଏଭଳି ପରିସ୍ଥିତି ଯୋଗୁ ଆୟକରଦାତାମାନେ ଆୟକର ଦାଖଲ କରିବାରେ ସମସ୍ୟା ଭୋଗୁଛନ୍ତି। ଆୟକର ବିଭାଗ ସତ୍ୟପାଠରେ ଉପରୋକ୍ତ ସମସ୍ୟା ଉଲ୍ଲେଖ କରିବା ପରେ ହାଇକୋର୍ଟ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ସ୍ଥିତି ସମ୍ପର୍କରେ ଆସନ୍ତା ୧୦ ତାରିଖ ସୁଦ୍ଧା ଜଣାଇବାକୁ କୋର୍ଟ ପକ୍ଷରୁ ସରକାରଙ୍କୁ ଆଦେଶ ଦିଆଯାଇଛି। ସୂଚନାଥାଉ କି, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚାଲିଛି। ଏଥିଯୋଗୁ ସେଠାରେ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ବନ୍ଦ ରହୁଛି। ଏହାକୁ ନେଇ ଆଡ୍‌ଭୋକେଟ ଶିବଶଙ୍କର ମହାନ୍ତି ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ମାମଲାର ପୂର୍ବ ଶୁଣାଣି ସମୟରେ ହାଇକୋର୍ଟ କହିଥିଲେ, ଆଇନଜୀବୀମାନେ ସେଠାରେ ଆନ୍ଦୋଳନ କରୁଛନ୍ତି। ମାତ୍ର ଯେଉଁ ଆଇନଜୀବୀ କୋର୍ଟକୁ ଯିବାକୁ ଚାହୁଁଛନ୍ତି, ସେମାନଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ହାଇକୋର୍ଟ ସମ୍ବଲପୁର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଉକ୍ତ ମାମଲାରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରି ସେଠାରେ ସବୁ ଠିକ୍‌ଠାକ୍‌ ଚାଲିଥିବା କହିଥିଲେ।