ପଶ୍ଚିମ ଦେଶକୁ ଚେତାବନୀ ଦେଲେ ପୁଟିନ

ମସ୍କୋ,୯।୩: ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ବୁଧବାର ପାଶ୍ଚାତ୍ୟ ଦେଶକୁ ଚେତାବନୀ ଦେଇଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ଆମେ ପାଲଟା କଟକଣା ଲାଗଇଲେ ପରିସ୍ଥିତି ଅସମ୍ଭାଳ ହେବ।
ୟୁକ୍ରେନ ବିରୋଧରେ ଯୁଦ୍ଧକୁ ବିରୋଧ କରି ରୁଷ ବିପକ୍ଷରେ ପଶ୍ଚିମ ଦେଶମାନେ ମିଳିତ ପ୍ରତିବନ୍ଧକ ଲଗାଇଛନ୍ତି। ଯୁଦ୍ଧକୁ ବିରୋଧ କରି ଏକାଧିକ ପଶ୍ଚିମ ଦେଶମାନେ ଲଗାଇଥିବା ପ୍ରତିବନ୍ଧକ ରୁଷିଆ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ୧୯୯୧ରେ ସୋଭିଏତ ୟୁନିଅନ ଭାଙ୍ଗିବା ପରଠାରୁ ରୁଷ ସବୁଠାରୁ ଖରାପ ସ୍ଥିତିରେ ସମ୍ମୁଖୀନ ହୋଇଛି।
ସୂଚନାଯୋଗ୍ୟ, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୧୪ ଦିନ ହେବ ଯୁଦ୍ଧ ଜାରି ରହିଛି। ୟୁକ୍ରେନରେ ରୁଷିଆ ପକ୍ଷରୁ ଆକ୍ରମଣପରଠାରୁ ରୁଷର ଆର୍ଥିକ ସ୍ଥିତି ବିଗିଡି ଲାଗିଛି। ମଙ୍ଗଳବାର ରୁଷିଆ ଉପରେ ତୈଳ ଓ ଅନ୍ୟାନ୍ୟ ସାମଗ୍ରୀ ଆମଦାନୀ କ୍ଷେତ୍ରରେ ଆମେରିକା ରାଷ୍ଟ୍ରପତି ପ୍ରତିବନ୍ଧକ ଲଗାଇଛି। ଆମେରିକା ଏବଂ ୟୁରୋପୀୟ ୟୁନିଅନ ରୁଷରୁ ଅଶୋଧିତ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲେ ତୈଳ ମୂଲ୍ୟ ବ୍ୟାରେଲ ପିଛା ୩୦୦ ଡଲାରରୁ ଅଧିକ ହୋଇପାରେ ବୋଲି ରୁଷିଆ ଚେତାବନୀ ଦେଇଛି।

Share