ପଶ୍ଚିମ ପାର୍ଶ୍ୱରେ ମାପଚୁପକୁ ବିରୋଧ:ଅଧାରେ ଅଟକିଲା ସର୍ଭେ

ପୁରୀ ଅଫିସ, ୨୦-୯:ଶ୍ରୀମନ୍ଦିର ଚୌହଦି ଉଚ୍ଛେଦର ମାପଚୁପ ଚାଲିଛି। ସୋମବାରଠାରୁ ଡିଜିପିଏସ୍‌ (ଡିଫରେନ୍‌ସିଆଲ ଗ୍ଲୋବାଲ ପୋଜିସନିଂ ସିଷ୍ଟମ) ପଦ୍ଧତିରେ ସର୍ଭେ କରାଯାଉଛି। ଏହି କାର୍ଯ୍ୟ ଆଉ ଦୁଇଦିନ ବାକି ଥିବାବେଳେ ଗୁରୁବାର ପ୍ରଶାସନକୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଫଳରେ ପଶ୍ଚିମ ପାର୍ଶ୍ୱରେ ଅଧାରେ ଅଟକିଛି ସର୍ଭେ। ଉଚ୍ଛେଦ ତ ଦୂରର କଥା, କୌଣସି ମାପଚୁପ କରାଇଦେବେ ନାହିଁ ବୋଲି ପ୍ରଭାବିତ ହେବାକୁ ଥିବା ଲୋକେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ପ୍ରଶାସନ ଏବଂ ପ୍ରଭାବିତଙ୍କ ମଧ୍ୟରେ ଏ ନେଇ ଆଲୋଚନା ବିଫଳ ହୋଇଛି। ଲୋକେ ସେମାନଙ୍କ ଜିଦ୍‌ରେ ଅଟଳ ରହିବାରୁ ଆଲୋଚନା ଅଧାରୁ ଅତିରିକ୍ତ ଜିଲାପାଳ ଉଠି ଆସିଥିବା ଜଣାପଡ଼ିଛି। ଆଗକୁ ଏହି ସର୍ଭେ କାର୍ଯ୍ୟ କି ମୋଡ଼ ନେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର।
ଗୁରୁବାର ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ମାପଚୁପ ଆରମ୍ଭ ହୋଇଥିଲା। ପଶ୍ଚିମ ପାର୍ଶ୍ୱରେ ଡିଜିପିଏସ୍‌ ସର୍ଭେ ବେଳେ ପ୍ରଥମେ ବାସେଳୀ ଠାକୁରାଣୀ ମନ୍ଦିର ଗଳିରେ ଜଣେ ମହିଳା ମାପଚୁପ କରୁଥିବା କର୍ମଚାରୀ ଏବଂ ପୋଲିସକୁ ବିରୋଧ କରିଥିଲେ। ସର୍ଭେ କରୁଥିବା କର୍ମଚାରୀ ଚପଲ ପିନ୍ଧି ଘରଦ୍ୱାର ଭିତରକୁ ପଶି ଯାଉଥିବା ନେଇ ମହିଳା ଜଣକ ଆପତ୍ତି ଉଠାଇଥିଲେ। ନୋଟିସ୍‌ ନାହିଁ, କେଉଁ ଆଧାରରେ ଆମ ଘର ଭିତରେ ପଶିଯାଉଛ ବୋଲି ପଚାରିଥିଲେ। ଏହାପରେ କପାଳମୋଚନ ମନ୍ଦିର ନିକଟରେ ମାପଚୁପ ଚାଲିଥିବାବେଳେ କର୍ମଚାରୀମାନେ ମନ୍ଦିର ଭିତରକୁ ଚପଲ ପିନ୍ଧି ପଶୁଥିବା ନେଇ ହୋ ହଲ୍ଲା ହୋଇଥିଲା। ମଣିକର୍ଣ୍ଣିକା ସାହି ଓ ହରଚଣ୍ଡୀ ସାହିର କିଛି ଅଂଶ ମାପଚୁପ ଆରମ୍ଭ ସମୟରେ ଜୋର୍‌ଦାର ବିରୋଧ ହୋଇଥିଲା। ପ୍ରଶାସନ ସେମାନଙ୍କ ସହ ଆଲୋଚନା ନ କରି ହଠାତ ଉଚ୍ଛେଦ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ପଶ୍ଚିମ ପାର୍ଶ୍ୱରେ ଅଧିକାଂଶ ସେବାୟତ ପରିବାର କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି। ସେବାୟତ ପରିବାର ସ୍ଥାନାନ୍ତର ହେଲେ ଠାକୁରଙ୍କ ନୀତିକାନ୍ତି କିପରି ଶୃଙ୍ଖଳିତ ହେବ ବୋଲି ଲୋକେ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ସର୍ଭେକୁ ବନ୍ଦ ରଖାଯାଇଥିଲା। ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ ପହଞ୍ଚିତ୍ କହିଥିଲେ, ଏବେ କେବଳ ସର୍ଭେ ହେଉଛି। ୭୫ ମିଟରର ଶେଷ ସୀମା କେଉଁଠି ତାହା ଚିହ୍ନଟ ଚାଲିଛି। ଏହାପରେ କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା ହେବ। ସେମାନେ ଚାହିଁଲେ ସିଧାସଳଖ ଜିଲା ପ୍ରଶାସନ ନିକଟରେ ତାଙ୍କ ଆପତ୍ତି ଅଭିଯୋଗ ରଖିପାରିବେ। ଏଥିପାଇଁ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ତେଣୁ ବ୍ୟତିବ୍ୟସ୍ତ ନ ହେବାକୁ ସେ ଲୋକଙ୍କୁ ବୁଝାଇଥିଲେ। ହେଲେ ଲୋକେ ସର୍ଭେ କରାଇଦେବେ ନାହିଁ ବୋଲି ଜିଦ୍‌ ଧରିବାରୁ ଆଲୋଚନା ଅଧାରୁ ଅତିରିକ୍ତ ଜିଲାପାଳ ଉଠି ଆସିଥିଲେ। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ଦାଶ କହିଛନ୍ତି, ବର୍ତ୍ତମାନ କେବଳ ୭୫ ମିଟର କେଉଁ ପର୍ଯ୍ୟନ୍ତ ରହିଛି ତାହାର ସୀମା ନିର୍ଦ୍ଧାରଣ କରୁଛୁ। ଏଥିପାଇଁ କ୍ଷତିଗ୍ରସ୍ତଙ୍କୁ କିପରି ଠିକ୍‌ ଭାବେ ଥଇଥାନ କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ତେଣୁ ସର୍ଭେ ସମୟରେ ସମସ୍ତେ ସହଯୋଗ କରିବା କଥା।

Share