ପସନ୍ଦ ଆସୁନାହିଁ ‘ପାଗଲପନ୍ତି’: ଦର୍ଶକ କହିଲେ ‘ଏହା ଜନ୍‌ଙ୍କ କ୍ୟାରିଅରର ସବୁଠାରୁ ଖରାପ ଫିଲ୍ମ’

ବମ୍ବେ: ପରଦାରେ ଚଳଚ୍ଚିତ୍ର ‘ପାଗଲପନ୍ତି’। ଶୁକ୍ରବାର ରିଲିଜ ହେବାର କେଇ ଘଣ୍ଟା ନ ବିତୁଣୁ ଏହାର ରିଭ୍ୟୁ ଦେବା ଆରମ୍ଭ କଲେଣି ପ୍ରଶଂସକ। ତେବେ ଫିଲ୍ମକୁ ନେଇ ମିଶ୍ରିତ ପ୍ରତିକ୍ରିୟା ମିଳୁଛି। ନାମ ଯେଉଁଭଳି ଫିଲ୍ମଟି ସେଭଳି ହୋଇଥାଇପାରେ ବୋଲି ଆଶା କରୁଥିବା କିଛି ଦର୍ଶକଙ୍କୁ ଏତେଟା ପସନ୍ଦ ଆସିନାହିଁ ଫିଲ୍ମ। ଫିଲ୍ମକୁ ପରଦାରେ ଦେଖିବା ପରେ କେବଳ ଅଭିନେତା ଜନ୍‌ ଆବ୍ରାହମଙ୍କ ପ୍ରଶଂସା କରାଯାଉଛି। ଅନ୍ୟ ଅଭିନେତା ଅନିଲ କପୁର, ଅରଶଦ ଓ୍ବାରସି, ପୁଲକିତ ସମ୍ରାଟ ଏବଂ ସୌରଭ ଶୁକ୍ଲା ଦର୍ଶକଙ୍କୁ ହସାଇବାକୁ ଚେଷ୍ଟା କରି ସଫଳ ହୋଇଥିଲେ ହେଁ ଫିଲ୍ମର କାହାଣୀ ବେକାର ଲାଗୁଛି ବୋଲି ଅନେକେ ମତ ରଖୁଛନ୍ତି। ସେହିଭଳି ନାୟିକା କୃତି ଖରବନ୍ଦା, ଉର୍ବଶୀ ରୌତେଲା, ଇଲିଆନା ଡିକ୍ରୁଜଙ୍କୁ ଗ୍ଲାମର ଗର୍ଲ ଭାବେ ଅବିହିତ କରାଯାଉଛି। ଏପରିକି ଟୁଇଟର ପୃଷ୍ଠାରେ ଫିଲ୍ମକୁ ଏବେଠାରୁ ଲୋକମାନେ ଫ୍ଲପ୍‌ କହିବା ଆରମ୍ଭ କଲେଣି। ଜନ୍‌ଙ୍କ କ୍ୟାରିୟରର ଏହା ସବୁଠାରୁ ଖରାପ ଫିଲ୍ମ ବୋଲି ପ୍ରଶଂସକ କହୁଛନ୍ତି। ସେହିଭଳି କେତେକ ଦର୍ଶକ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି। ଫିଲ୍ମର କାହାଣୀ ଏବଂ କଳାକାରଙ୍କ ଅଭିନୟ ପୂରା ପରିବାରକୁ ହସର ଡୋଜ୍‌ ଦେଉଛି ବୋଲି କେହି କେହି କହୁଥିବା ଦେଖିବାକୁ ମିଳିଛି।

Share