Categories: ବାଣିଜ୍ୟ

ପହିଲାରୁ କାର୍ଯ୍ୟକାରୀ ହେବ ମେଗା ବ୍ୟାଙ୍କ ମିଶ୍ରଣ

ମୁମ୍ବାଇ,୩୦। ୩: ଦେଶର ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ଦ୍ୱାରା ୪ ବଡ ବ୍ୟାଙ୍କ ଗଠନ ପଦକ୍ଷେପ ପହିଲାରୁ କାର୍ଯ୍ୟକାରୀ ହେବ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ରବିବାର ଏ ନେଇ ସୂଚନା ଦିଆଯାଇଛି। ବ୍ୟାଙ୍କଗୁଡିକ ଯେଉଁ ଅନ୍ୟ ବ୍ୟାଙ୍କ ସହ ମିଶିଥିବେ ସେହି ନାମ ଅନୁସାରେ କାର୍ଯ୍ୟ କରିବେ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ମେଗା ବ୍ୟାଙ୍କ ମିଶ୍ରଣ ନେଇ ସରକାର ମାର୍ଚ୍ଚ ୪ରେ ଘୋଷଣା କରିଥିଲେ। ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ୪ ବଡ ବ୍ୟାଙ୍କ ଗଠନ ନେଇ ସରକାରଙ୍କ ଲକ୍ଷ୍ୟ ରହିଛି। କରୋନା ଭାଇରସ ବ୍ୟାପିବା ଯୋଗୁ ବର୍ତ୍ତମାନ ଲକ୍‌ଡାଉନ ସ୍ଥିତିରେ ସରକାର ମିଶ୍ରଣ ଯୋଜନାକୁ ଏବେ କିଛି ସମୟ ବନ୍ଦ ରଖନ୍ତୁ ବୋଲି ବ୍ୟାଙ୍କ ସଂଘଗୁଡିକ ଚିଠି ଲେଖିଥିଲେ। ଏପ୍ରିଲ ୧ ଠାରୁ ମେଗା ମିଶ୍ରଣ ପଦକ୍ଷେପ କାର୍ଯ୍ୟକାରୀ କରାଯିବ ବୋଲି ଅର୍ଥମନ୍ତ୍ରୀ ଗୁରୁବାର ସ୍ପଷ୍ଟ ଭାବେ କହିଥିଲେ। ଯୋଜନା ମୁତାବକ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ, ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସହ ମିଶିଯିବ। ସିଣ୍ଡିକେଟ ବ୍ୟାଙ୍କ କାନାଡା ବ୍ୟାଙ୍କ ସହ ମିଶିବାକୁ ଥିବା ବେଳେ ଆଲ୍ଲାହାବାଦ ବ୍ୟାଙ୍କ ଇଣ୍ଡିଆନ ବ୍ୟାଙ୍କ ଏକତ୍ର ହେବେ। ଏହାବାଦ ଆନ୍ଧ୍ର ବ୍ୟାଙ୍କ ଏବଂ କର୍ପୋରେଶନ ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସହ ମିଶିଯିବ। ଏହି ନିଷ୍ପତ୍ତି ଫଳରେ ପହିଲାରୁ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ, ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଭାବେ କାର୍ଯ୍ୟ କରିବ। ସେହିଭଳି ଅନ୍ୟ ବ୍ୟାଙ୍କଗୁଡିକ ମିଶିଥିବା ନିର୍ଦ୍ଦିଷ୍ଟ ବ୍ୟାଙ୍କ ଶାଖା ଭାବେ କାମ କରିବେ ବୋଲି ଆର୍‌ବିଆଇ ପକ୍ଷରୁ ସୂଚନା ରହିଛି।

Share