ପହ୍ଲାଘାରୀକୁ ଦଳି ନଷ୍ଟ କଲେ ହାତୀପଲ

ଅମରପାଲି, ୫।୮(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇରେ ହାତୀ ଉପଦ୍ରବ ଦେଖାଦେଇଛି। ସେମାନେ ପହ୍ଲାରେ ଥିବା ଧାନକୁ ଦଳିଚକଟି ନଷ୍ଟ କରିଦେଉଛନ୍ତି। ଚଳିତ ବର୍ଷ ବିଳମ୍ବିତ ବର୍ଷା ଓ ଆବଶ୍ୟକଠାରୁ କମ୍‌ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ବିଳମ୍ବିତ ହୋଇଥିଲା । ବିଳମ୍ବରେ ବର୍ଷା ହୋଇଥିଲେ ମଧ୍ୟ ଚାଷୀ ନିଜ ଜମିକୁ କର୍ଷଣକରି ଧାନ ବୁଣିଥିଲା। ପରେ ହଠାତ ବର୍ଷାର ଅଭାବ ହୋଇଯିବା ପରେ ଚାଷୀ ତଳିମଧ୍ୟ ପକାଇ ପାରି ନ ଥିଲା। ବିଳମ୍ବରେ ବର୍ଷା ହେବାରୁ ଚାଷୀ ମଧ୍ୟ ବିଳମ୍ବରେ ତଳି ପକାଇଥିଲା। ଏବେ ବର୍ଷା ହେବା ପରେ ଜମି ହଳ କରି ଧାନ ରୋଇବା ପାଇଁ ପ୍ରସ୍ତୁତ ହେଉଛି। ମାତ୍ର ଏବେ ହାତୀ ପ୍ରାଦୁର୍ଭାବ ଯୋଗୁଁ ଚାଷୀ ହତାଶ ହୋଇପଡିଛି । ଶନିବାର କୋଟସମଲାଇ ଗ୍ରାମକୁ ନିକଟସ୍ଥ ଜଙ୍ଗଲରୁ ଦନ୍ତାହାତୀ ଆସି ବ୍ୟାପକ ଧାନଗଛ ନଷ୍ଟ କରିଛନ୍ତି। ଗ୍ରାମର ଶୁଭାସିନୀ ମନ୍ତ୍ରୀ ଓ ସନ୍ତୋଷ ମେଣ୍ଡଲିଙ୍କ ୮ ଏକର, ଛବି ବନଛୁରଙ୍କର ୧ ଏକର ଓ ପଞ୍ଚାନନ ମନ୍ତ୍ରୀଙ୍କର ୧ଏକର ଜମିରେ ଧାନ ଗଛ ଲଗାଇବା ପାଇଁ ତଳି ପକାଇଥିଲେ । ହାତୀ ଆସି ତଳି ପକାଯାଇଥିବା ସବୁ ଧାନ ଗଛ ଦଳି ଚକଟି ନଷ୍ଟ କରି ଦେଇଛି । ଫଳରେ ଏବେ ଆଉ ଉକ୍ତ ଜମିରେ ଧାନ ଗଛ ଲଗାଇବା ସମ୍ଭବ ହୋଇ ପାରିବ ନାହିଁ । ଚାଷ ବିଳମ୍ବ ହେତୁ ଚାଷୀମାନେ ଆଉ ତଳି ପକାଇ ଧାନ ଗଛ ରୋଇ ପାରିବ ନାହିଁ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି । କୋଟସମଲାଇରେ ଏକ ଫରେଷ୍ଟ ବିଟ ଥିବା ବେଳେ ସେଠାରେ କାର୍ଯ୍ୟରତ ବନ ବିଭାଗୀୟ କର୍ମଚାରୀ ପ୍ରାୟତଃ ରହୁ ନ ଥିବାରୁ ହାତୀ ଘଉଡାଇବା ସହିତ ବିଭାଗୀୟ ଅଧିକାରୀକୁ ମଧ୍ୟ ଖବର ଦିଆଯାଇ ପାରୁ ନାହିଁ । ଫଳରେ ଲୋକେ ବିଭିନ୍ନ ସମୟରେ କ୍ଷତିପୂରଣ ମଧ୍ୟ ପାଇ ପାରୁ ନାହାନ୍ତି । ଏ ନେଇ ଉଲୁଣ୍ଡା ରେଞ୍ଜ ଅଫିସର ଶିବ ପ୍ରସାଦ ନାଏକଙ୍କୁ ପଚାରିବାରୁ ସେ କହିଲେ ଯେ, ବନବିଭାଗ ପକ୍ଷରୁ ଉକ୍ତ ସ୍ଥାନକୁ ଯାଇ କ୍ଷୟକ୍ଷତିର ଆକଳନ କରାଯାଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ।