ପାଇକ ବିଦ୍ରୋହ ସ୍ମାରକର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି: କହିଲେ ‘ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ’

ଖୋର୍ଦ୍ଧା ଅଫିସ,୮।୧୨: ବରୁଣେଇ ପାଦ ଦେଶରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକବିଦ୍ରୋହ ସ୍ମାରକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଓଡ଼ିଆରେ ଜୟ ଜଗନ୍ନାଥ କହି ଉଦ୍‌ବୋଧନ ଆରମ୍ଭ କରି କହିଲେ ପାଇକ ସଂଗାମ ହେଉଛି ଭାରତର ଗର୍ବ ଓ ଗୌରବର ସ୍ମାରକୀ। ଏହା ପରବର୍ତ୍ତୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ସାଜିବ। ସ୍ବାଭିମାନୀ ପାଇକଙ୍କ ବୀରତ୍ୱ ଗାଥାର ପ୍ରତୀକ ପାଲଟିବ। ଓଡ଼ିଶାର ଐତିହ୍ୟ ଓ କଳା ସାରା ଦେଶରେ ପରିଚିତ। ଉତ୍କଳ ଜନନୀର ଶକ୍ତି ଚଣ୍ଡାଶୋକକୁ ଧର୍ମାଶୋକ କରିଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି। ସେହିଭଳି ଉତ୍କଳମଣି ଗୋପବନ୍ଧୁ, ପୂର୍ବତନ ମୂଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ରାଷ୍ଟ୍ରପତି ସ୍ମରଣ କରିଛନ୍ତି। ଏଥିସହ ଉତ୍କଳର ଉତ୍କର୍ଷ କଳା, ସ୍ବାଭିମାନୀ ଜାତି ଓ ପରମ୍ପରାର ପ୍ରଂଶସା କରି ନବ ଭାରତର ନିର୍ମାଣ ପାଇଁ ରାଷ୍ଟ୍ରପତି ଆହ୍ବାନ ଦେଇଛନ୍ତି।

ଏହି ଅବସରରେ ପାଇକ ବିଦ୍ରୋହ ରାଜ୍ୟ ତଥା ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଆନ୍ଧ୍ରପାଳ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଓଡ଼ିଆ ଜାତି ସ୍ବାଭିମାନୀ ଓ ବୀରତ୍ୱର ପ୍ରତୀକ। ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ବାଧିନତା ସଂଗ୍ରାମ। ତେବେ ବକ୍ସି ଜଗବନ୍ଧୁଙ୍କ ନାଁରେ ସ୍ବତନ୍ତ୍ର ଟ୍ରେନ ଚଳାଇବାର ବ୍ୟବସ୍ଥା କରିବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ପାଇକ ବିଦ୍ରୋହ ହେଉଛି ଭାରତର ପ୍ରଥମ ସ୍ବାଧିନତା ସଂଗ୍ରାମ, ଯାହାକି ବ୍ରିଟିଶ ବିରୋଧୀ ଆନ୍ଦୋଳନର ମୂଳଦୂଆ ପକାଇଥିଲା।

Share