ପାଇଖାନା ଘରେ ବିତୁଛି ଜୀବନ: ସଂସାର ପଥରେ ୪ ଛୁଆଙ୍କୁ ଧରି ଏକାକୀ

କେନ୍ଦୁଝର, ୨୮ା୭(ସ୍ବ.ପ୍ର.)-ସରକାର ଗରୀବ ଗୃହ ହୀନ ଲୋକଙ୍କୁ ବିଭିନ୍ନ ଆବାସିକ ଯୋଜନାରେ ଘର ପ୍ରଦାନ କରିଲେ ହେଁ ବହୁ ଗରିବ ଲୋକ ଏଥିରୁ ବଞ୍ଚିତ ରହୁଛନ୍ତି। ଫଳରେ କିଏ ଭଙ୍ଗାଦଦରା ଘରେ ପଲା ମାରି ରହୁଛି ତ କିଏ ପର ଘରେ ମୁଣ୍ଡଗେଞ୍ଜି ରହୁଛନ୍ତି। ଲୋକଙ୍କୁ ଘର ମିଳୁନାହିଁ କିନ୍ତୁ ସ୍ବଚ୍ଛ ଭାରତ ଅଭିଯାନରେ ପାଇଖାନା ମିଳୁଛି ା ଏଣୁ ଅନେକ ଘର ନ ଥିବାରୁ ପାଇଖାନା ଘରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି। ଏଭଳି ଅନେକ ଦୃଷ୍ଟାନ୍ତ ରହିଥିବା ବେଳେ ସଦର ବ୍ଲକ ରାଙ୍କି ଗ୍ରାମ ମୁଣ୍ଡା ସାହିରେ ଏଭଳି ଏକ ପରିବାର ଘର ନ ଥିବାରୁ ପାଇଖାନା ଘରେ ଜୀବନ କାଟୁଥିବା ଘଟଣା ସରକାରଙ୍କ ଆବାସିକ ଯୋଜନାର ସଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସ୍ବାମୀ ପଦିଆ ମୁଣ୍ଡାଙ୍କ ଦେହାନ୍ତ ପରେ ବିଧବା ପତ୍ନୀ ରଇବାରୀ ମୁଣ୍ଡା ନିଜର ୪ ଝିଅ ଶିଶୁଙ୍କୁ ନେଇ ପାଇଖାନା ଘରେ ରହୁଥିବା ଅଭିଯୋଗ ହୋଇଛି। ସଂସାର ପଥରେ ସେ ସମ୍ପୂର୍ଣ୍ଣ ଏକାକୀ। ସେଥିରେ ରହିବାକୁ ଘର ଖଣ୍ଡେ ନାହିଁ। ଆବେଦନ କରି ବିଫଳ ହେବାରୁ ବାଧ୍ୟ ହୋଇ ପାଇଖାନାରେ ମୁଣ୍ଡ ଗେଞ୍ଜି ରହୁଥିବା ସେ କହିଛନ୍ତି। ବଣଜଙ୍ଗଲରୁ କାଠ ସଂଗ୍ରହ କରି ବିକି ଘର ଓ ପରିବାର ଚଳାଉଥିବା ରଇବାରୀଙ୍କ ପାଖରେ ଘର ତିଆରି କରିବାକୁ ସମ୍ବଳ ନାହିଁ। ଛୋଟ ଛୋଟ ପିଲା ମାନଙ୍କୁ ପୁଷ୍ଟିକର ଖାଦ୍ୟ, ଔଷଧ ଦେଇ ପାରୁନାହାନ୍ତି। ତାଙ୍କର ପୁରୁଣା ସ୍ବାମୀ ରହୁଥିବା ଘରେ ତାଙ୍କର ଶାଶୁ ଓ ଶ୍ୱଶୁର ରହୁଛନ୍ତି। କାମଧନ୍ଦା ମିଳୁ ନ ଥିବାରୁ ଅନେକ ସମୟରେ ଘରେ ବସିରହୁଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ୧୦ କେଜି ଚାଉଳକୁ କାଟି ଏବେ ୫ କେଜି ଦିଆଯାଉଛି। ବର୍ଷା ଓ ଖରାରେ ସେ ବହୁ କଷ୍ଟରେ ପାଇଖାନା ଘରେ ରହୁଛନ୍ତି। ଅଭିଯୋଗ ମିଳିବା ପରେ ତଦନ୍ତ କରି ଖୁବଶୀଘ୍ର ଥଇଥାନ କରିବାକୁ ପଦକ୍ଷେପ ନେବେ ବୋଲି ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦଶକ ଉଦ୍ଧବ ଚନ୍ଦ୍ର ମାଝୀ କହିଛନ୍ତି। ତେବେ ଗରୀବ ତଥା ଆଦିବାସୀ ମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ବହୁ ସରକାରୀ ଯୋଜନା ରହିଥିଲେ ହେଁ ରଇବାରୀଙ୍କ ଭଳି ବହୁ ଗରିବ ଲୋକଙ୍କୁ ସହାୟତା ମିଳୁନି ବୋଲି ଶ୍ରମିକ ନେତା ପୂର୍ଣ୍ଣ ରାଉତ କହିଛନ୍ତି। ଏଣୁ ଭୋକ ଓପାସରେ କାମଧନ୍ଦା ନ ପାଇ ଏବଂ ବାସହରା ହୋଇ ବହୁ ଗରିବ ଲୋକ ଜିଲାରେ ବହୁ ଅସୁବିଧାରେ ରହୁଛନ୍ତି। ଖଣିଜସମ୍ପଦରେ ଭରପୁର କେନ୍ଦୁଝର ଭଳି ଜିଲାରେ ଏଭଳି ଅବସ୍ଥାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ା