ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ

ଜଗତ୍‌ସିଂହପୁର ଅଫିସ,୨୯।୯: ଜଗତ୍‌ସିଂହପୁର ମ୍ୟୁନିସିପାଲିଟି ଅଧୀନ ସୁଜଙ୍ଗ ଗ୍ରାମରେ ରବିବାର ଅପରାହ୍ନରେ ଦୁଇଜଣ ଶ୍ରମିକ ପାଇଖାନା ଭିତରୁ ସେଣ୍ଟ୍ରିଙ୍ଗ ଖୋଲୁଥିବା ସମୟରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ସେମାନେ ହେଲେ ସ୍ଥାନୀୟ ମରିଚାପଦ ଗ୍ରାମର ରବି ଭୋଇ (୨୮) ଓ ମଣ୍ଡାସାହିର ପ୍ରକାଶ ବାରିକ (୩୫)। ପ୍ରାପ୍ତ ସୂଚନା ଅନୁଯାୟୀ, ସୁଜଙ୍ଗ ଗ୍ରାମର ବଳରାମ ପତିଙ୍କର ପାଇଖାନା ଟାଙ୍କିର ଛାତ ଦୁଇ ମାସ ତଳେ ପଡ଼ିିଥିଲା। ରବିବାର ବଳରାମ ଅନୁପସ୍ଥିତ ଥିବାବେଳେ ପ୍ରକାଶ ଓ ରାଜୁ ସେଣ୍ଟ୍ରିଙ୍ଗ ଖୋଲିବା ପାଇଁ ଟାଙ୍କି ଭିତରକୁ ପଶିଥିଲେ। ଦୀର୍ଘ ସମୟ ଧରି ବାହାରକୁ ନ ଆସିବାରୁ ବଳରାମଙ୍କ ସ୍ତ୍ରୀ ଡାକିଥିଲେ। ସେମାନେ ନ ଶୁଣିବାରୁ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେବାରୁ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁଇ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ତେବେ ଉଭୟଙ୍କୁ ଜଗତସିଂହପୁର ସଦର ମହକୁମା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।