ପାଇଖାନା ନିର୍ମାଣରେ ଅନିୟମିତତା

ରାୟଗଡ଼(ଗଜପତି), ୯ା୩ (ଡି.ଏନ୍‌.ଏ.) ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମରେ ଗାଁରୁ ସହର ସମସ୍ତ ଅଞ୍ଚଳକୁ ବାହ୍ୟ ମଳମୁକ୍ତ କରିବାହ ପାଇଁ ପ୍ରତ୍ୟେକ ଘରେ ସ୍ବଚ୍ଛ ଶୌଚାଳୟ ନିର୍ମାଣ ଯୋଜନା କରିଛନ୍ତି। ମାର୍ଚ୍ଚ ୩୦ ସୁଦ୍ଧା ପାଇଖାନା ତିଆରି ପାଇଁ ଲକ୍ଷ୍ୟ ରଖିଥିବାବେଳେ କେତେକ ଠିକାଦାରଙ୍କ ପାଇଁ ଯୋଜନା ଫେଲ୍‌ ମାରିବା ସହ ଏଥିରେ ଅନିୟମିତତା ଦେଖବାକୁ ମଳୁଛି। ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ଏବଂ ଠିକାଦାର ଶ୍ରମିକମାନଙ୍କୁ ମଜୁରୀ ନ ଦେଇ ଶୋଷଣ କରୁଛନ୍ତି। ଗଜପତି ଜିଲା ରାୟଗଡ଼ ବ୍ଲକ୍‌ ଅଧୀନ ମୁହାଁଣ ଗ୍ରାମରୁ ଏପରି ଅଭିଯୋଗ ଆସିଛି।
ସରକାରଙ୍କ ଯୋଜନାରେ ଶୌଚାଳୟ ନିର୍ମାଣ ପାଇଁ ଘର ପିଛା ୧୨ ହଜାର ଟଙ୍କା ଦିଆଯାଉଛି। ତେବେ ରାୟଗଡ଼ ବ୍ଲକ୍‌ ଏକ ଆଦିବାସୀ ଅଧ୍ୟ୍ୟୁଷିତ ଅଞ୍ଚଳ ହୋଇଥିବାବେଳେ ଆର୍ଥିକ ସମସ୍ୟା ଯୋଗୁ ଲୋକେ ପାଇଖାନା ତିଆରି କରିବାରେ ସକ୍ଷମ ହେଉନାହାନ୍ତି। ଏହାର ସୁଯୋଗ ନେଇ ବାହାର ଜିଲା ଏବଂ ରାଜ୍ୟର ଠିକାଦାରମାନେ ଏହାର ଲାଭ ଉଠାଉଥିବା ଦେଖିବାକୁ ମିଳୁଛି। ସମସ୍ତ ପାଇଖାନା ଆମେ ତିଆରି କରିବୁ ବେଲି କହି ଖୋଦ୍‌ ହିତାଧିକାରୀଙ୍କୁ କାମରେ ଲଗାଉଥିବାବେଳେ ସେମାନଙ୍କୁ ମଜୁରୀ ନ ଦେଇ ଠକୁଥିବା ଅଭିଯୋଗ ହୋଇଛି। କେବଳ ସିମେଣ୍ଟ ଓ ଇଟା ଯୋଗାଇଦେଇ ଗାତ ଖୋଳିବା ଓ ପାଇଖାନା ଗୃହ ନିର୍ମାଣ କାର୍ଯ୍ୟରେ ହିତାଧିକାରୀଙ୍କୁ ଲଗାଇ କାମ ସାରୁଥିବା ଜଣାପଡ଼ିଛି। ଉକ୍ତ କାମ ମଧ୍ୟ ନିମ୍ନମାନର କରାଯାଉଥିବାବେଳେ ହିତାଧିକାରୀମାନେ ମଜୁରି ମାଗିଲେ ବିଭିନ୍ନ ଆଳ ଦେଖାଇ ଦେଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରିକି ଠିକାଦାରମାନେ ସରକାରୀ ଅନୁଷ୍ଠାନଙ୍କୁ ନିଜ କବ୍‌ଜାରେ ରଖି ସେଠାରେ ନନ୍ଦ ନିର୍ମାଣ କାରଖାନା ମଧ୍ୟ କରିଥିବା ଅଭିଯୋଗ ହେଉଛି। ତେଣୁ ଉକ୍ତ ପାଇଖାନା ଗୃହଗୁଡ଼ିକୁ ଭାଙ୍ଗି ପୁନଃନିର୍ମାଣ କରିବା ସହ ପ୍ରଶାସନ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏ ନେଇ ଠିକାଦାର କୂଳମଣି ପ୍ରଧାନଙ୍କଠାରୁ ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। ସେହିପରି ଗ୍ରାମ୍ୟ ପରିମଳ ଓ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ -୨ ଅମୀୟ ରଞ୍ଜନ ଦାସ କହିଛନ୍ତି, ଠିକାଦାରମାନେ ଗାଇଡ୍‌ ଲାଇନ୍‌ ଅନୁଯାୟୀ କାମ କରିବା ଆବଶ୍ୟକ। ତେଣୁ ଅଭିଯୋଗର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।