ପାଇଖାନା ନିର୍ମାଣ ନଁ।ରେ ଅନିୟମିତତା

ପଦ୍ମପୁର,୨୧।୩(ଡି.ଏନ.ଏ.)-ପଞ୍ଚାୟତରେ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣରେ ଅନିୟମିତତା ହୋଇଥିବା ଘଟଣା ପଦାକୁ ଆସିଛି। ଏ ନେଇ ବିଡିଓ, ଜିଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି। କରଞ୍ଜଆଡ଼ିଆ ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମର କୈଳାସ ନାଥଙ୍କ ଅଭିଯୋଗ ଅନୁଯାୟୀ, ସେ ନିଜସ୍ବ ଅର୍ଥରେ ପାଇଖାନା ତିଆରି କରି ଏ ବାବଦରେ ସରକାରୀ ପ୍ରୋତ୍ସାହନ ପାଇବା ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡ଼ି ନିରାଶ ହୋଇଥିଲେ। ବ୍ଲକ କାର୍ଯ୍ୟାଳୟକୁ ଯାଇ ଏ ବାବଦରେ ପଚାରିବାରୁ ତାଙ୍କ ନାମରେ ବିଲ୍‌ ହୋଇସାରିଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ନିକଟରେ ବିଡିଓ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ପଞ୍ଚାୟତର ଏଭଳି ଅନେକ ଲୋକଙ୍କ ନାମରେ ପାଇଖାନା ନିର୍ମାଣ ନ କରି ଅର୍ଥ ଉଠାଣ ହୋଇଥିବା ଜଣାପଡ଼ିଛି।
ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ବିରସ ପଞ୍ଚାୟତରେ ସାମାଜିକ କର୍ମୀ ଦୀପକ କୁମାର ନାୟକ ଓ ପଙ୍କଜ କୁମାର ଜେନାଙ୍କ ଦ୍ୱାରା ମଗାଯାଇଥିବା ସୂଚନା ଅଧିକାର ତଥ୍ୟରୁ ଏହି ଯୋଜନାରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବା ଆକଳନ କରାଯାଉଛି। ପାଇଖାନା ନିର୍ମାଣ ଦାୟିତ୍ୱ ନେଇଥିବା ସ୍ବୟଂସହାୟକ ଗୋଷ୍ଠୀ ମାଧ୍ୟମରେ ଅର୍ଥ ହଡ଼ପ କରାଯାଇଥିବା ଗ୍ରାମବାସୀ ବିଡିଓଙ୍କ ନିକଟରେ ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି। ୧୫୦ରୁ ଊର୍ଦ୍ଧ୍ୱ ପାଇଖାନା ଅର୍ଦ୍ଧନିର୍ମିତ ଥିବାବେଳେ ୫୦ରୁ ଅଧିକ ପାଇଖାନା ବିଲ୍‌ ଦୁଇଥର ପ୍ରଦାନ କରାଯାଇଛି। ୧୦୦ ରୁ ଅଧିକ ହିତାଧିକାରୀଙ୍କର ପାଇଖାନା ଆଦୌ ନିର୍ମାଣ କରା ନ ଯାଇ ବିଲ୍‌ କରାଯାଇଛି। ଏପରିକି ୫ ମୃତ ବ୍ୟକ୍ତିଙ୍କ ନାମରେ ମଧ୍ୟ ପାଇଖାନା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ବ୍ଲକ ଅଧୀନ ୨୨ ପଞ୍ଚାୟତର ପାଇଖାନା ନିର୍ମାଣ ନେଇ ଏବେ ସୂଚନା ଅଧିକାର ଆଇନରେ ତଥ୍ୟ ମଗାଯାଇଛି। ହେଲେ ପ୍ରଶାସନ ତଥ୍ୟ ପ୍ରଦାନ କରୁ ନ ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ବିଡିଓ ପ୍ରଣବ କୁମାର ବେହେରାଙ୍କୁ ପଚାରିବାରୁ ଏଭଳି ଅନିୟମିତତାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କଠାରୁ ଅର୍ଥ ଆଦାୟ କରାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Share