ପାଇଖାନା ନ କଲେ ରାଶନ ସାମଗ୍ରୀ ମିଳୁନି

ପାତ୍ରପୁର,୧୭ା୯(ଡି.ଏନ୍‌.ଏ.)-ପାତ୍ରପୁର ବ୍ଲକର ୨୩ ପଞ୍ଚାୟତରେ ପ୍ରଶାସନର ଗୋଟିଏ ନିୟମ ଥିବାବେଳେ ଆନ୍ଧ୍ର ସୀମାକୁ ଲାଗିଥିବା କେଶରୀପଡ଼ା ପଞ୍ଚାୟତ ସଦରମହକୁମାରେ ଆକ୍ରୋଶମୂଳକ ଭାବେ ଅଲଗା ନିୟମ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଠାରେ ପାଇଖାନା ନିର୍ମାଣ ନକଲେ ରାଶନ ସାମଗ୍ରୀ ବନ୍ଦ କରାଯାଉଛି। ଗ୍ରାମ ହେବାଠାରୁ କେତେକ ବାସଗୃହ ସ୍ବଳ୍ପ ଜାଗାରେ ମନ୍ଦିର ଜମିରେ ନିର୍ମାଣ କରାଯାଇଛି। ସେହିପରି ଅନ୍ୟ କେତେକ ପରିବାର ମାତ୍ର ଦୁଇ ଡ଼େସିମିଲ ଜାଗାରେ ଘର ନିର୍ମାଣ କରିଛନ୍ତି। ପାଇଖାନା ପାଇଁ ସେଠାରେ ଜାଗା ନାହିଁ। ସରକାରୀ ଖାତା ଓ ମନ୍ଦିର ଜମିରେ ଘର ଥିବାବେଳେ ଆବାସ ଯୋଜନା, ଛାତ୍ରୀଛାତ୍ରମାନଙ୍କ ପ୍ରମାଣପତ୍ର ହେଉନାହିଁ। ଏପରିସ୍ଥଳେ ଗ୍ରାମବାସୀ ପ୍ରଥମେ ବିଡ଼ିଓଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ କେଉଁ ନିୟମରେ ପାଇଖାନା ନିର୍ମାଣ ନକଲେ ସାମଗ୍ରୀ ବନ୍ଦ କରାଗଲା ବୋଲି ଅଭିଯୋଗ କରି ଘେରାଉ କରିଥିଲେ। ଏନେଇ ବିଡ଼ିଓ କୌଣସି ଠିକ ତଥ୍ୟ ଦେଇପାରି ନ ଥିଲେ। ଫଳରେ ରାଶନ ସାମଗ୍ରୀ ତୁରନ୍ତ ପ୍ରଦାନ ଦାବିରେ ମହିଳା ଓ ପୁରୁଷ କାର୍ଯ୍ୟାଳୟ ଆଗରେ ବସିରହିଥିଲେ।
ଏନେଇ ବିଡ଼ିଓ ପ୍ରକାଶଚନ୍ଦ୍ର ଦାସଙ୍କୁ ପଚାରିବାରୁ ରାଶନ ସାମଗ୍ରୀ ବନ୍ଦ କରାଯାଇନି। ୨୦ ତାରିଖ ପର୍ଯ୍ୟନ୍ତ ସାମଗ୍ରୀ ଦେବାର ସମୟ ରହିଛି ବୋଲି କହିଥିଲେ। ଅନ୍ୟପଟେ ପଟ୍ଟା ପ୍ରଦାନ ପାଇଁ ଗ୍ରାମବସୀ ତହସିଲ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ ପ୍ରଦାନ କରିଥିଲେ। ତୁରନ୍ତ ପଟ୍ଟା ପ୍ରଦାନ କଲେ ଆମେ ଆମ ଜାଗାରେ ପାଇଖାନା ନିର୍ମାଣ ସହ ଆବାସ ଯୋଜନାରେ ସାମିଲ ହେବୁ ବୋଲି କହିଥିଲେ। ଏନେଇ ତହସିଲଦାର ଶ୍ରୀନିବାସ ବେହେରାଙ୍କୁ ପଚାରିବାରୁ ତଦନ୍ତ ପରେ କିସମ ପରିବର୍ତ୍ତନ କରାଯାଇ ପଟ୍ଟା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି।
ଅନ୍ୟପଟେ ଆନ୍ଧ୍ରରେ ପାଇଖାନା ନିର୍ମାଣ ନକଲେ ରାଶନ ସାମଗ୍ରୀ ଓ ଭତ୍ତା ବନ୍ଦ କରିବା ନିୟମ ରହିଛି। ମାତ୍ର ଓଡ଼ିଶା ସରକାରଙ୍କ ପକ୍ଷରୁ ଏପରି ନିୟମ ନାହିଁ। ସରକାରଙ୍କ ବିନା ନିୟମରେ କେବଳ ପାତ୍ରପୁର ବ୍ଲକର କେଶରୀପଡ଼ା ଗ୍ରାମରେ କିଭଳି ଆନ୍ଧ୍ର ନିୟମ ଲାଗୁହେଲା ସେନେଇ ଗ୍ରାମବାସୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଜାଣିଶୁଣି କିଛି ନେତାଙ୍କ ପ୍ରରୋଚନାରେ ଏପରି କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦାବିପତ୍ର ପ୍ରଦାନବେଳେ ଭାଜପା ନେତା ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ସମେତ ଗୁଡ଼ିପଦର ସରପଞ୍ଚ ୱାଇ. ମୋହନ ରାଓ, ପୂର୍ବତନ ସରପଞ୍ଚ ଆଇ. ବାଲ୍‌କ୍ରିଷ୍ଣା ଓ ଶତାଧିକ ମହିଳା ପୁରୁଷ ଉପସ୍ଥିତ ଥିଲେ।

Share