ପାଇପ୍‌ରୁ ଆସୁଛି ନାଲି ରଙ୍ଗର ପାଣି: ପାନୀୟଜଳ ପାଇଁ ଓ୍ବାର୍ଡବାସୀ ହଇରାଣ

ଯୋଡ଼ା, ୨୧।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ପୌରପାଳିକାର ୯ନଂ ଓ୍ବାର୍ଡ ଗୋପ ମହାନ୍ତି ହଟିଂ ଠାରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ନିମନ୍ତେ ଦିଆଯାଇଥିବା ପାଇପ ଲାଇନରେ ନାଲି ରଙ୍ଗର ଦୂଷିତ ଜଳ ଆସୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ ହୋଇଛି । ସ୍ଥାନୀୟ ଅଞ୍ଚଳର ତାରି କାରୁଆ, ଶହଦେବ କାରୁଆ, ଅଷ୍ଟମୀ କାରୁଆ, ବଳରାମ କାରୁଆ, ଭୀମ କାରୁଆ, ଲିଲି କାରୁଆ ପ୍ରମୁଖ ଅଭିଯୋଗ କରି କହିଛନ୍ତି ଯେ, ରବିବାରଠାରୁ ପାଇପ ଲାଇନରେ ନାଲି ରଙ୍ଗର ଦୂଷିତ ଜଳ ଆସୁଛି । ଯାହାକି ପିଇବା ଉପଯୋଗୀ ହେଉନାହିଁ। ଏହାସହିତ କୌଣସି ଲୁଗାପଟା , ବାସନକୁସନ ସଫା କାର୍ଯ୍ୟରେ ମଧ୍ୟ ଏହା ବ୍ୟବହାର ହୋଇପାରୁନାହିଁ । କିଛିଦିନ ପୂର୍ବରୁ ମଧ୍ୟ ଏହିପରି ଦୂଷିତ ଜଳ ଆସିବାରୁ ସ୍ଥାନୀୟ ଅଞ୍ଚଳବାସୀ ପାନୀୟ ଜଳ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏନେଇ ସଂପୃକ୍ତ ବିଭାଗ କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ କହ୍ନେଇ ଟୁଡୁଙ୍କୁ ପଚାରିବାରୁ ବାଂଶପାଣିଠାରେ ରେଳବାଇର ମାଟି ଡମ୍ପ ହେତୁ ପାଇପଲାଇନ ଫାଟିଥିଲା। ଗତ ରବିବାରଠାରୁ ପୁଣି ଦୁଇଟି ସ୍ଥାନରେ ପାଇପ୍‌ ଫାଟିଯିବାରୁ ଏହି ସମସ୍ୟା ଉପୁଜିଛି । ତେବେ ମଙ୍ଗଳବାର ଗୋଟିଏ ସ୍ଥାନରେ ମରାମତି ହୋଇଛି ଏବଂ ବୁଧବାର ଅନ୍ୟ ଏକ ସ୍ଥାନରେ ଫାଟିଥିବା ପାଇପର ମରାମତି କାର୍ଯ୍ୟ ହେଉଅଛି । ଖୁବ୍‌ ଶୀଘ୍ର ଏହାର ମରାମତି ଶେଷ କରାଯାଇ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।