ପାଉଚ ମଦରେ ନିଆଁ ଲଗାଇଲେ ମହିଳା

ବୌଦ୍ଧ, ୨୩।୭.(ସ୍ବ.ପ୍ର.)-ବୌଦ୍ଧ ଜିଲାରେ ମହିଳାମାନେ ମଦ ବିରୋଧୀ ଆନ୍ଦୋଳନ କରିଛନ୍ତି। ଜିଲାରେ ବହୁ ସଂଖ୍ୟାରେ କୁଚିଆ ମଦ ଦୋକାନ ଖୋଲାଯାଇ ଦେଶୀ, ବିଦେଶୀ ମଦ ବିକ୍ରି କରାଯାଉଛି। ହେଲେ ଜିଲା ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ନାମକୁ ମାତ୍ର ମଦ ଧରପଗଡ କରୁଥିବା ବେଳେ କୁଚିଆ ବେପାରୀଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। କେବଳ ଗରିବ ନିରୀହ ଆଦିବାସୀମାନଙ୍କୁ ମଦ ବିକ୍ରି ଆଳରେ ଗିରଫ କରି ମାମଲା ରୁଜୁ କରୁଥିବା ଅଭିଯୋଗ ହୋଇଛି।
ସୋମବାର ବଘିଆପଡ଼ା ଅଞ୍ଚଳର ୮ଟି ଗ୍ରାମର ୫୪ଟି ସ୍ବୟଂସହାୟିକା ଗୋଷ୍ଠୀର ମହିଳାମାନେ ଏକଜୁଟ ହୋଇ ମଦ ବିରୋଧୀ ସଂଗ୍ରାମ ଆରମ୍ଭ କରିଥିଲେ। ବଘିଆପଡ଼ା ପଞ୍ଚାୟତର ଇସିରିସିଙ୍ଗା ନିକଟସ୍ଥ ଲକ୍ଷ୍ମୀପଦର ଗ୍ରାମ ମନ୍ଦିର ନିକଟରେ ସ୍ବୟଂସହାୟିକା ଗୋଷ୍ଠୀର ମହିଳାମାନେ ଏକଜୁଟ ହୋଇ ଏକ ସଭାର ଆୟୋଜନ କରିଥିଲେ। ପରେ ଗ୍ରାମର ଛବିଳ ନାଏକଙ୍କ ଘରେ ଚଢାଉ କରି ୫୦୦ ପ୍ୟାକେଟ ଦେଶୀ ମଦ ପାଉଚ ଜବତ କରି ନିଆଁ ଲଗାଇ ପୋଡି ଦେଇଥିଲେ। ଏପରିକି ମହିଳାମାନେ ମଦବେପାରୀଙ୍କୁ ଚେତବାନୀ ଦେଇଥିଲେ। ଆଗାମୀ ଦିନରେ ମଦ ବିକ୍ରି କଲେ ଚରମ ପଦକ୍ଷେପ ନିଆଯିବ ବୋଲି ଅ କହିଥିଲେ। ଏହି ଘଟଣା ପରେ ବଘିଆପଡ଼ା ଅଞ୍ଚଳରେ କୁଚିଆ ମଦ ବେପାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏହି ଚଢାଉରେ ୫୦୦ରୁ ଉର୍ଦ୍ଧ୍ୱ ମହିଳା ସାମିଲ ଥିଲେ।

Share