ପାଓ୍ବାର ଟିଲର ନ ପାଇ ସୁଧ ଦେଉଛନ୍ତି ଗଜେନ୍ଦ୍ର: ନ୍ୟାୟ ନ ମିଳିବାରୁ କରିବେ ଅନଶନ

କେନ୍ଦୁଝର , ୮ା୮ (ସ୍ବ.ପ୍ର.)-ଦୀର୍ଘ ୧୦ ମାସ ହେଲା ଋଣ ଅନୁମୋଦିତ ହୋଇଛି ା ଏଥିପାଇଁ ସୁଧ ଆଦାୟ ଦେଉଛନ୍ତି କିନ୍ତୁ ପାଓ୍ବାର ଟିଲର ମିଳୁନଥିବାରୁ କେନ୍ଦୁଝର ଜିଲା ପାଟଣା ବ୍ଲକ ବଳିଆପଶି ଗ୍ରାମର ଜଣେ ଯୁବ ଆଦିବାସୀ ଚାଷୀ ଚାଷ କାମ କରିପାରୁନାହାନ୍ତି। ତାଙ୍କ ନାମ ଗଜେନ୍ଦ୍ର ନାଏକ ା ସେ ଏକ ପାଓ୍ବାର ଟିଲର ପାଇଁ ଚେମଣା ଗ୍ରାମ ସ୍ଥିତ ରାଜନଗର ଲ୍ୟାମ୍ପରେ ଆବେଦନ କରିଥିଲେ ା ତାଙ୍କ ନାମରେ ଲୋନ ଆକାଉଣ୍ଟ ୧୪୭୩/୩୩୧, ୨୯ ଅକ୍ଟୋବର ୨୦୧୮ ତାରିଖରେ ଖୋଲାଯାଇ ୭୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା ା ଏଥିପାଇଁ ଗଜେନ୍ଦ୍ର ଅଗ୍ରୀମ ଧାର କରି ୧୫ ହଜାର ଟଙ୍କା ଯୋଗାଡ କରି ଜମା ଦେଇଥିଲେ। ପାଓ୍ବାର ଟିଲର ମିଳିଲେ ଚାଷ କରିବେ ବୋଲି ଆଶା କରିଥିଲେ। ତେବେ ଉକ୍ତ ଡିଲର ଟିଲର ନ ଦେଇ ଲ୍ୟାମ୍ପରୁ ଋଣ ଟଙ୍କା ନେଇ ପଳାଇଯାଇଥିବାରୁ ଗଜେନ୍ଦ୍ର ଚିନ୍ତାରେ ରହିଛନ୍ତି। ଏନେଇ ଲ୍ୟାମ୍ପ ଓ ଡିଲରକୁ ଧାଇଁ ଧାଇଁ ନୟାନ୍ତ ହେବା ପରେ ସେ ଫେବୃୟାରୀ ମାସରେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁହାରୀ କରିଥିଲେ। ଜିଲାପାଳଙ୍କ ପ୍ରକୋଷ୍ଠରୁ ସଦର ଥାନାକୁ ପଦକ୍ଷେପ ନେବାକୁ ଆଦେଶ ହୋଇଥିବା ଜଣାପଡିଛି।
ସରକାର ଚାଷୀ ମାନଙ୍କ ବିକାଶ ପାଇଁ ବହୁ ଯୋଜନା ପ୍ରସ୍ତୁତ କରି ସହାୟତା କରୁଥିବା ଦାବି କରୁଥିବା ବେଳେ ତଳ ସ୍ତରରେ କିପରି ଚାଷୀ ମାନେ ପ୍ରତାରିତ ହେଉଛନ୍ତି ତାହା ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି ା ଏସମ୍ପର୍କରେ ଚେମଣା ଲ୍ୟାମ୍ପ ଏମଡି ଜିତେନ୍ଦ୍ର ସିଂ କହିଛନ୍ତି ଯେ ଉକ୍ତ ବ୍ୟକ୍ତି ଯେଉଁ ସୋ ରୁମରୁ ଟିଲର ନେବେ ତାହାର କୋଟେସନ ଆଣିବା ପରେ ଆମେ ଋଣ ବ୍ୟବସ୍ଥା କରିଥାଉ ା ତାପରେ ଡେଲିଭରୀ ଅର୍ଡର ଚାଷୀଙ୍କୁ ଦେଇଥାଉ ା ଉକ୍ତ ଅର୍ଡର ନେଇ ଚାଷୀ ପାଓ୍ବାର ଟିଲର ଆଣିଥାନ୍ତି। ଡେଲିଭରୀ ହେବା ପରେ ସୋ ରୁମକୁ ଋଣ ଟଙ୍କା ପୈଠ କରିଥାଉ। ଏଥିରେ ତାଙ୍କର କୌଣସି ଭୂଲ ନାହିଁ ା ତେବେ ଟିଲର ନ ପାଇ ଡେଲିଭରୀ ଅର୍ଡର ଦେବା କଥା ନୁହେଁ। ବିଶେଷ ସୂତ୍ରରୁ ଜଣାପଡିଛି ଯେ ଗଜେନ୍ଦ୍ରଙ୍କ ସରଳତାର ସୁଯୋଗ ନେଇ ଉକ୍ତ ଡିଲର ଡେଲିଭରି ଅର୍ଡର ସହିତ ଦସ୍ତଖତ ନେବା ପରେ ଲ୍ୟାମ୍ପରେ କାଗଜପତ୍ର ଦେଇ ଟଙ୍କା ନେଇଯାଇ ଫେରାର ହୋଇଯାଇଛନ୍ତି। ଏଭଳି ଜିଲାର ବହୁ ଚାଷୀଙ୍କ ଠାରୁ ଏଭଳି ଟିଲର ନ ଦେଇ ଟଙ୍କା ନେଇ ଫେରାର ହୋଇଯାଇଥିବା ଆଲୋଚନା ହେଉଛି। ଏଣୁ ଏନେଇ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଚାଷୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି ହୋଇଛି। ନଚେତ୍‌ ଚାଷୀ ମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ମତ ପ୍ରକାଶ ପାଉଛି ା