ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ଜେନେଭା,୧୪।୯: ମିଳିତ ଜାତିସଂଘ ମାନବଅଧିକାର ପରିଷଦ (ୟୁଏନଏଚଆରସି)ର ଏକ ବୈଠକରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ଜାତିସଂଘର ତାଲିକାଭୁକ୍ତ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଏବଂ ଆତଙ୍କବାଦୀ କାରଖାନା ଚଳାଉଥିବା ପାକିସ୍ତାନ ଭାରତୀୟ ଲୋକଙ୍କ ମାନବିକ ଅଧିକାରକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ଏକ ପ୍ରତାରଣା ବୋଲି ଭାରତ କହିଛି। ଆତଙ୍କବାଦୀଙ୍କୁ ପାକିସ୍ତାନ ଆଶ୍ରୟ ଦେଉଛି। ଏଭଳି ପରିସ୍ଥିତିରେ ମାନବ ଅଧିକାର ପରିଷଦ ନିଜର କ୍ଷମତାକୁ ବ୍ୟବହାର କରିବା ଏବଂ ପାକିସ୍ତାନ ଦ୍ୱାରା ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ବନ୍ଦ କରିବା ଭଲ।
ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ପୱନ କୁମାର ବଢେ କହିଛନ୍ତି, ଭାରତ ବିରୋଧରେ ପ୍ରଚାର ପ୍ରସାର ପାଇଁ ପାକିସ୍ତାନ ପୁଣି ଥରେ ଏହି ସମ୍ମାନଜନକ ପରିଷଦ ଦ୍ୱାରା ଦିଆଯାଇଥିବା ପ୍ଲାଟଫର୍ମର ଅପବ୍ୟବହାର କରିଛି। ଆମ ପ୍ରତିନିଧୀମଣ୍ଡଳ ସେମାନଙ୍କର ଭିତ୍ତିହୀନ ବିବୃତ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ସେମାନେ ଆମର ପ୍ରତିକ୍ରିୟାର ଯୋଗ୍ୟ ନୁହଁନ୍ତି। ପାକିସ୍ତାନ ଦ୍ୱାରା ଭାରତର ଲୋକଙ୍କ ମାନବିକ ଅଧିକାର ବିଷୟରେ କହିବା ହାସ୍ୟାସ୍ପଦ। ଅନ୍ତର୍ଜାତୀୟ ସ୍ତରରେ ନିଷିଦ୍ଧ ଆତଙ୍କବାଦୀମାନେ ପାକିସ୍ତାନୀ ମାଟିରେ କାର୍ଯ୍ୟ କରୁଛନ୍ତି। କେବଳ ମୋ ଦେଶରେ ନୁହେଁ, ସମଗ୍ର ବିଶ୍ୱରେ ଶାନ୍ତି ଏବଂ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରି ପାକିସ୍ତାନ ଏହାର ଲୋକଙ୍କ ମାନବିକ ଅଧିକାରର ଉଲ୍ଲଂଘନ କରିଛି। ମିଳିତ ଜାତିସଂଘ ମାନବଅଧିକାର ପରିଷଦକୁ ଅନୁରୋଧ କରୁଛୁ ଯେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ଶେଷ କରିବା ତଥା ଏହାର ଅଧୀନରେ ଥିବା ଆତଙ୍କବାଦୀ ଭିତ୍ତିଭୂମି ଭାଙ୍ଗିବା ପାଇଁ ବିଶ୍ୱସ୍ତ ପଦକ୍ଷେପ ନେବାକୁ କୁହନ୍ତୁ।

Share