ଶ୍ରୀନଗର,୨୦।୮: ପାକିସ୍ତାନକୁ ଏବେ ଯୁଦ୍ଧ ନିଶା ଘାରିଛି। ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଦୁଇଦେଶ ମଧ୍ୟରେ ଉତ୍ତେଜନା ସୃଷ୍ଟି କରୁଛି। ମଙ୍ଗଳବାର ପୂର୍ବାହ୍ନ ୧୧ଟା ସମୟରେ ଜମ୍ମୁ-କଶ୍ମୀର ପୁଞ୍ଚ୍ ଜିଲାର କୃଷ୍ଣାଘାଟି ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ଫରଓ୍ବାର୍ଡ ପୋଷ୍ଟକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରାଯାଇଛି।
ଏଥିରେ ଜଣେ ଭାରତୀୟ ଯବାନ ଶହୀଦ୍ ହୋଇଥିବା କୁହାଯାଉଛି। ନାଏକ ରବିରଞ୍ଜନ କୁମାର ସିଂ ସୀମାପାର ଗୁଳିରେ ଶହୀଦ ହୋଇଛନ୍ତି। ବିହାରସ୍ଥିତ ରୋହତାସ୍ ଅନ୍ତର୍ଗତ ଗୋପ୍ ବିଘା ଗ୍ରାମର ନିବାସୀ ୩୬ ବର୍ଷୀୟ ରବିରଞ୍ଜନଙ୍କ ସ୍ତ୍ରୀ ରୀତା ଦେବୀ ଅଛନ୍ତି। ଏହି ଘଟଣାରେ ୪ ଯବାନ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାର ଜବାବରେ ଭାରତୀୟ ସେନାଙ୍କ ପକ୍ଷରୁ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟକୁ ଲକ୍ଷ୍ୟ କରି ଗୁଳିଗୋଳା ମାଡ଼ କରାଯାଇଛି।