ପାକିସ୍ତାନକୁ ପ୍ରିନ୍ସ ଓ୍ବିଲିୟମ୍‌ ଓ କେଟ୍‌ ମିଡିଲଟନ୍‌ଙ୍କ ରାଜକୀୟ ଯାତ୍ରା

ଇସ୍‌ଲମାବାଦ : ପାକିସ୍ତାନକୁ ୫ ଦିନିଆ ଗସ୍ତ କରିଛନ୍ତି ବ୍ରିଟେନର ପ୍ରିନ୍ସ ଓ୍ବିଲିୟମ ଓ ସ୍ତ୍ରୀ କେଟ୍‌ ମିଡିଲଟନ୍‌। ସେଠାରେ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଓ ରାଷ୍ଟ୍ରପତି ଆରିଫ୍‌ ଆଲ୍‌ଭିଙ୍କୁ ସାକ୍ଷାତ କରିଛନ୍ତି। ଏହି ରାଜକୀୟ ଯାତ୍ରା ଲାଗି ପାକିସ୍ତାନରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଥିବାବେଳେ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଛି। ଭାରତ ପାକିସ୍ତାନ ସମ୍ପର୍କରେ ତିକ୍ତତା ଲାଗି ରହିଥିବାବେଳେ ବ୍ରିଟେନର ଏକ ରାଜକୀୟ ଯୋଡ଼ିଙ୍କ ଯାତ୍ରା ଭିନ୍ନ ପରିବେଶ ସୃଷ୍ଟିକରିଛି। ସେମାନଙ୍କ ସୁରକ୍ଷା ଲାଗି ହଜାରେରୁ ଊର୍ଦ୍ଧ୍ୱ ପୋଲିସ ଓ ପାରାମିଲିଟାରୀ ଫୋର୍ସଙ୍କୁ ମଧ୍ୟ ମୁତୟନ କରାଯାଇଛି। ପ୍ରଥମେ ସେମାନେ ଇସ୍‌ଲାମାବାଦରେ ବାଳିକାଙ୍କ ଲାଗି ଉଦ୍ଦିଷ୍ଟ ଏକ ସ୍କୁଲ ଗସ୍ତକରିବା ପରେ ମାର୍ଗାଲା ହିଲ୍‌ସ୍ଥିତ ନ୍ୟାଶନାଲ ପାର୍କ ବୁଲି ଦେଖିଛନ୍ତି। ପାକିସ୍ତାନରେ ପ୍ରାଥମିକ ଶିକ୍ଷା ଲାଭ ପରେ ଅନେକ ଝିଅ ପାଠପଢା ଛାଡ଼ୁଥିବା ନଜିର ରହିଛି। ନାରୀ ଶିକ୍ଷା ଉପରେ ଗୁରୁତ୍ୱ ଦେଇଆସୁଥିବା ଏହି ରୟାଲ ଯୋଡ଼ିଙ୍କ ଏଠାକୁ ଗସ୍ତ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇବ ବୋଲି କୁହାଯାଉଛି। ବ୍ରିଟେନ ସହ ରାଜ୍ୟଗୋଷ୍ଠୀ ଦେଶଗୁଡ଼ିକର ସମ୍ପର୍କକୁ ନେଇ ଇସ୍‌ଲାମାବାଦରେ ଉତ୍ସବ ପାଳନ କରାଯାଇଥିବାବେଳେ ଏହି ରୟାଲ ଯୋଡ଼ିଙ୍କ ଫ୍ୟାଶନେବଲ୍‌ ଡ୍ରେସ ଓ ଅଟୋ ଯାତ୍ରା ନିଆରା ଦୃଶ୍ୟ ସୃଷ୍ଟି କରିଥିଲା।

Share