ନୂଆଦିଲ୍ଲୀ,୯।୮: ମୋଦି ସରକାର ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇବା ପରେ ଭାରତ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ପାକିସ୍ତାନ ଭାରତ ସହ ବ୍ୟବସାୟୀକ ସମ୍ପର୍କ ସହ ରେଳ ସେବା, ଆକାଶ ପଥ ମଧ୍ୟ ବନ୍ଦ କରି ଦେଇଛି। ପାକିସ୍ତାନର ଏହି ପଦକ୍ଷେପକୁ ଦେଖି ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର ଶୁକ୍ରବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲେ। ଏହାପରେ ରବିଶ କହିଛନ୍ତି, ଏବେ ପାକିସ୍ତାନ ବାସ୍ତବିକତାକୁ ଗ୍ରହଣ କରିବା ସହ ଅନ୍ୟ ଦେଶର ଆଭ୍ୟନ୍ତରିଣ ମାମଲାରେ ହସ୍ତକ୍ଷେପ ନ କରିବାର ସମୟ ଆସିଯାଇଛି। ତେଣୁ ଭାରତ ଯାହା ନିଷ୍ପତ୍ତି ନେଇଛି ତାକୁ ନେଇ ପାକିସ୍ତାନ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।