Categories: ଖେଳ

ପାକିସ୍ତାନକୁ ୩୩୭ ରନ୍‌ର ଟାର୍ଗେଟ ଦେଲା ଭାରତ

ମାଞ୍ଚେଷ୍ଟର, ୧୬।୬: ଓଲ୍ଡ ଟ୍ରାଫର୍ଡରେ ପୁଣି ଥରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମ୍ୟାଚ୍‌ ଖେଳାଯାଉଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୫୦ ଓଭରରେ ୫ ୱିକେଟ ହରାଇ ୩୩୬ ରନ କରିଛି। ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପର ୨୨ତମ ମ୍ୟାଚରେ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଟସ୍‌ ଜିଣି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲେ। ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ଭାରତ ପକ୍ଷରୁ ଓପନିଂ କରିବାକୁ ଆସି ୧୭.୩ ଓଭରରେ ଭାରତର ସ୍କୋରକୁ ୧୦୦ ରନରେ ପହଞ୍ଚାଇଥିଲେ। ଭାରତର ସ୍କୋର ୧୩୭ ଥିବା ବେଳେ ରାହୁଲ ୫୭ରନ୍‌ କରି ଆଉଟ୍‌ ହୋଇଥିଲେ। ରୋହିତ୍‌ ୨୪ତମ ଦିନିକିଆ ଶତକ ମାରି ୧୧୩ ବଲରେ ୧୪ ଚୌକା ଓ ୩ ଛକା ସହ ୧୪୦ ଓ ବିରାଟ ୬୫ ବଲରେ ୭ ଚୌକା ସହ ୭୭ ରନ କରି ଆଉଟ ହୋଇଥିଲେ। ପାଣ୍ଡ୍ୟା ୧୯ ବଲରେ ୨ ଚୌକା ଓ ୧ ଛକା ସହ ୨୬ ରନ କରିଥିବା ବେଳେ ମହେନ୍ଦ୍ର ସିଂହ ମାତ୍ର ୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ଭାରତର ସ୍କୋର ୪୬.୪ ଓଭରରେ ୩୦୫ ରନରେ ଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ଫଳରେ ୪୫ ମିନିଟ ଖେଳ ବନ୍ଦ ହୋଇଥିଲା। ପୁଣି ଖେଳ ଆରମ୍ଭ ହେବା ପରେ ବାକି ୨୦ ବଲରେ ଭାରତ ମାତ୍ର ୩୧ ରନ କରିବାକୁ ସକ୍ଷମ ହୋଇଥିଲା। ବିଜୟ ଶଙ୍କର ୧୫ ଓ କେଦାର ଯାଦବ ୯ ରନ କରି ଅପରାଜିତ ଥିଲେ। ପାକିସ୍ତାନ ମହମ୍ମଦ ଆମୀର ୩ଟି, ହାସନ ଓ ରିଆଜ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

Share