Categories: ଜାତୀୟ

ପାକିସ୍ତାନରୁ ଆସିଥିଲା ଜର୍ଜିଆ ବିମାନ: ଗୋଡ଼ାଇ ଧରିଲା ସୁଖୋଇ

ନୂଆଦିଲ୍ଲୀ/ଜୟପୁର,୧୧ା୫(ପି.ଟି.): ବାୟୁସୀମା ଲଙ୍ଘି ପାକିସ୍ତାନରୁ ଭାରତ ପଟକୁ ଚାଲିଆସିଥିବା ଜର୍ଜିଆର ଏକ ବିମାନକୁ ଶୁକ୍ରବାର ଭାରତୀୟ ବାୟୁସେନା (ଆଇଏଏଫ୍‌)ର ସୁଖୋଇ ଯୁଦ୍ଧବିମାନ ଗୋଡ଼େଇ ଧରିଛି। ରାଜସ୍ଥାନର ଜୟପୁର ବିମାନବନ୍ଦରରେ ଏହାର ଜବରଦସ୍ତ ଅବତରଣ କରାଯାଇଛି।
ଆଇଏଏଫ୍‌ ପକ୍ଷରୁ ମିଳିଥିବା ସୂଚନାନୁସାରେ ଜର୍ଜିଆ ରାଜଧାନୀ ତିବିଲିସିରୁ ପାକିସ୍ତାନର କରାଚୀ ଦେଇ ଦିଲ୍ଲୀକୁ ଯାଉଥିବା ମାଲବାହୀ ବିମାନ ଏଏନ୍‌-୧୨ ଶୁକ୍ରବାର ଅପରାହ୍ନ ୩ଟା ୧୫ରେ ଭାରତୀୟ ବାୟୁସୀମା ଅତିକ୍ରମ କରିଥିଲା। ବିନା ଅନୁମତିରେ ବିମାନ ଭାରତୀୟ ସୀମାକୁ ଆସିଥିବା ଜଣାପଡ଼ିବା ପରେ ଆଇଏଏଫ୍‌ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଏହି ବିମାନ ଏୟାର ଟ୍ରାଫିକ୍‌ ସର୍ଭିସ୍‌ (ଏଟିଏସ୍‌)ର ମାର୍ଗ ଅନୁସରଣ ନ କରି ଏକ ଅନିର୍ଦ୍ଧାରିତ ସ୍ଥାନରୁ ପଥଭ୍ରଷ୍ଟ ହୋଇ ବିମାନ ଉତ୍ତର ଗୁଜରାଟ ସେକ୍ଟର ପଟକୁ ଚାଲିଆସିଥିଲା। ଏହାକୁ ଆୟତ୍ତ କରିବା ପାଇଁ ଦୁଇଟି ସୁଖୋଇ-୩୦ ଗୋଡ଼ାଇଥିଲେ। ଫଳରେ ବାଧ୍ୟହୋଇ ଏହା ଜୟପୁରରେ ଅବତରଣ କରିଥିଲା। ଫେବୃୟାରୀ ୨୬ରେ ପାକିସ୍ତାନର ବାଲାକୋଟରେ ଭାରତ ପକ୍ଷରୁ ଏୟାର ଷ୍ଟ୍ରାଇକ୍‌ କରାଯିବା ପରେ ଦୁଇଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିବା ଦୃଷ୍ଟିରୁ ଏହାକୁ କାବୁ କରାଯାଇଥିଲା। ବିମାନରୁ କିଛି ସନ୍ଦେହଜନକ ସାମଗ୍ରୀ ମିଳି ନ ଥିବାବେଳେ ଏହାର ୮ କର୍ମଚାରୀଙ୍କୁ ପଚରାଉଚରା ପରେ ଉଡ଼ାଣ ପାଇଁ ଅନୁମତି ଦିଆଯାଇଥିବା ଜୟପୁର ଅତିରିକ୍ତ ପୋଲିସ କମିଶନର ଲକ୍ଷ୍ମଣ ଗଉର ସୂଚନା ଦେଇଛନ୍ତି।

Share