Categories: ଖେଳ

ପାକିସ୍ତାନରୁ ଡେଭିସ୍‌ କପ୍‌ ମ୍ୟାଚ୍‌ ସ୍ଥାନାନ୍ତର କରିବାକୁ ଭାରତର ଅନୁରୋଧ

ନୂଆଦିଲ୍ଲୀ,୧୧।୮: ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଡେଭିସ୍‌ କପ୍‌ ମ୍ୟାଚ୍‌ ସ୍ଥାନାନ୍ତର ପାଇଁ ଏବେ ଅଲ ଇଣ୍ଡିଆ ଟେନିସ ଆସୋସିଏଶନ (ଏଆଇଟିଏ) ଅନ୍ତର୍ଜାତୀୟ ଟେନିସ ଫେଡେରେଶନ (ଆଇଟିଏଫ୍‌)କୁ କହିଛି । ଏଆଇଟିଏ ଏହି ମ୍ୟାଚ୍‌କୁ କୌଣସି ନିରପେକ୍ଷ ଭେନ୍ୟୁକୁ ସ୍ଥାନାନ୍ତର କରିବାକୁ ଆଇଟିଏଫକୁ ଅନୁରୋଧ କରିଛି। ସେପ୍ଟେମ୍ବର ୧୪ ଓ ୧୫ ତାରିଖରେ ରାଜଧାନୀ ଇସ୍‌ଲାମାବାଦ୍‌ଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ/ ଓସେନିଆ ଗ୍ରୁପ-୧ ଟାଇ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ତେବେ ଜମ୍ମୁ- କଶ୍ମୀରରୁ ଭାରତ ସରକାର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବାର ପରେ ରାଜନୈତିକ ଓ କୁଟନୈତିକ ସମ୍ପର୍କରେ ପୁଣି ଅବନତି ହୋଇଛି ଓ ଦୁଇ ଦେଶ ମଧ୍ୟରେ ମୁକାବିଲାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଏଭଳି ପରିସ୍ଥିତିରେ ପାକିସ୍ତାନ ଗସ୍ତ କରି ମ୍ୟାଚ୍‌ ଖେଳିବା ସମ୍ଭବପର ନୁହଁ ବୋଲି ଏଆଇଟିଏ ତରଫରୁ ସ୍ପଷ୍ଟ କରାଯାଇଛି। ପରିସ୍ଥିତକୁ ଲକ୍ଷ୍ୟ କରି ଆମେ ଆଇଟିଏଫ୍‌କୁ ଅନୁରୋଧ ଜଣାଇଛୁ ବୋଲି ଏଆଇଟିଏ ଅଧ୍ୟକ୍ଷ ପ୍ରବୀଣ ମହାଜନ କହିଛନ୍ତି। ଦୁଇ ଦେଶ ମଧ୍ୟରେ କ୍ରୀଡ଼ା ସମ୍ପର୍କ ଚ୍ଛିନ୍ନ ହେବା ସତ୍ତ୍ୱେ ଦଳ ପଠାଇବାକୁ ଏଆଇଟିଏ ପ୍ରସ୍ତୁତି କରୁଥିଲା। ତେବେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଘଟଣା ପରେ ପରିସ୍ଥିତ ଅଲଗା ହୋଇଛି। ଚଳିତ ସପ୍ତାହରେ ଆଇଟିଏଫ୍‌ ଆମକୁ ଜବାବ ଦେବ ବୋଲି ମହାଜନ ଆଶା ପ୍ରକାଶ କରିଛନ୍ତି। ଅନ୍ୟପଟେ ଆଇଟିଏଫ୍‌ ଯଦି ମ୍ୟାଚ୍‌ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଏ ତାହେଲେ ଆମେ ଏହାକୁ ସ୍ବାଗତ କରିବୁ ବୋଲି ପାକିସ୍ତାନ ଟେନିସ ଫେଡେରେଶନ (ପିଟିଏଫ୍‌) ଅଧ୍ୟକ୍ଷ ସଲିମ ସୈଫୁଲ୍ଲା ଖାଁ ପୂର୍ବରୁ କହିଥିଲେ।
ଉଲ୍ଲେଖଥାଉ କି, ୧୯୬୪ରେ ଶେଷଥର ପାଇଁ ଭାରତୀୟ ଟେନିସ ଦଳ ଡେଭିସ୍‌ କପ୍‌ ଖେଳିବାକୁ ପାକିସ୍ତାନ ଗସ୍ତ କରିଥିଲା ଓ ୪-୦ରେ ଘରୋଇ ଦଳକୁ ହରାଇଥିଲା। ଏହାପରେ ୨୦୦୬ରେ ପାକିସ୍ତାନ ମୁମ୍ବାଇ ଗସ୍ତ କରିଥିଲା ଓ ୨-୩ରେ ଭାରତଠାରୁ ପରାସ୍ତ ହୋଇଥିଲା। ଏହି ଡେଭିସ୍‌ କପ୍‌ ମ୍ୟାଚ୍‌ ପାଇଁ ଭାରତ ଏକ ଶକ୍ତିଶାଳୀ ଦଳ ଘୋଷଣା କରିଛି। ଏଥିରେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୯୦ତମ ସ୍ଥାନରେ ଥିବା ପ୍ରଜନେଶ ଗୁଣେଶ୍ୱରନ ଓ ୧୮୪ ନମ୍ବର ଖେଳାଳି ରାମକୁମାର ରାମନାଥନ ସ୍ଥାନ ପାଇଛନ୍ତି। ଏହି ଦୁଇ ଖେଳାଳି ୪ଟି ସିଙ୍ଗଲ୍ସ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି।

Share