ପାକିସ୍ତାନରେ ଅଧିକରୁ ଅଧିକ ପିଲା ମେଦବହୁଳତାର ଶିକାର: ରିପୋର୍ଟ

ଇସ୍‌ଲାମାବାଦ,୨।୩: ପାକିସ୍ତାନରେ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ଜନସଂଖ୍ୟା ମେଦବହୁଳତାର ଶିକାର ହେଉଥିବା ବେଳେ ଏଥିଯୋଗୁ ଲୋକଙ୍କୁ ମାରାତ୍ମକ ରୋଗ ହେବାର ଭୟ ମଧ୍ୟ ରହିଛି। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ପାକିସ୍ତାନ ହେଲଥ୍‌ ରିସର୍ଚ୍ଚ କାଉନସିଲ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଦେଶରେ ମୋଟା ପିଲାଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏନେଇ ରବିବାର ଦ ନ୍ୟୁଜ୍‌ ଇଣ୍ଟରନ୍ୟାଶନାଲ ସୂଚନା ଦେଇଛି। ସେହିପରି ଓଲ୍ଡ ଓବେସିଟି ଫାଉଣ୍ଡେସନ୍‌ ଦ୍ୱାରା ପ୍ରକାଶିତ ଏଟଲସ୍‌ ଅଫ୍‌ ଚାଇଲ୍ଡ ଓବେସିଟିର ଏକ ରିପୋର୍ଟ ଅନୁସାରେ ୨୦୩୦ ପର୍ଯ୍ୟନ୍ତ ପାକିସ୍ତାନରେ ମେଦବହୁଳାର ଶିକାର ହୋଇଥିବା ପିଲାଙ୍କ ସଂଖ୍ୟା ୫୦ଲକ୍ଷରୁ ଊର୍ଦ୍ଧ୍ୱ ହୋଇଯିବା ନେଇ ଆଶଙ୍କା କରାଯାଉଛି। ୫-୧୯ ବର୍ଷ ମଧ୍ୟରେ ଦେଶର ୫,୪୧୨,୪୫୭ ପିଲା ମୋଟା ହେବେ ବୋଲି ଅନୁମାନ କରାଯାଇଛି। ୨୦୩୦ ବେଳକୁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ସ୍କୁଲ ପିଲା ଓ ଯୁବପିଢ଼ୀ ମେଦବହୁଳତାର ଶିକାର ହେବେ ବୋଲି ଆକଳନ କରାଯାଉଛି। ଏଭଳି ହେଲେ ଚାଇନା ଓ ଆମେରିକା ଭଳି ଦେଶ ଶୀର୍ଷରେ ରହିବା ସହ ପାକ୍ତିସ୍ତାନ ନବମ ସ୍ଥାନରେ ରହିବ ବୋଲି କୁହାଯାଉଛି।

Share