ଇସ୍ଲାମାବାଦ,୨୧।୩: କରୋନା ଭାଇରସ କବଳରେ ପାକିସ୍ତାନ। ଏବେ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୧ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ସିନ୍ଧ ଅଞ୍ଚଳରେ ସର୍ବାଧିକ ୨୫୨ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଏବେ ଏହା ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ପାକିସ୍ତାନକୁ ଲକ୍ଡାଉନ୍ କରିବା ସହ ସମସ୍ତ ବିମାନ ଯାତ୍ରାକୁ ବାତିଲ କରିବାକୁ ପରାମର୍ଶ ଦେଇଛନ୍ତି। ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି, ଲକ୍ ଡାଉନ୍ ଅର୍ଥ କର୍ଫ୍ୟୁ ଭଳି ପରିସ୍ଥିତି। ଏମିତି ହେଲେ ପାକିସ୍ତାନର ଗରିବ ଲୋକ ଆହୁରି ଦୁର୍ବଳ ହୋଇ ପଡିବେ। ତେଣୁ ଲକ୍ ଡାଉନ୍ କରାଯିବ ନାହିଁ।