ପାକିସ୍ତାନରେ ଘନେଇବ ଆର୍ଥିକ ସଙ୍କଟ

ନୂଆଦିଲ୍ଲୀ,୧୭ା୬(ପି.ଟି.): ଆତଙ୍କବାଦୀ ସଙ୍ଗଠନ ଏଲ୍‌ଇଟି ଏବଂ ଜେଇଏମ୍‌ ତଥା ସେଗୁଡ଼ିକର ସହଯୋଗୀ ସଂସ୍ଥା ଜେୟୁଡି ଓ ଫଲା-ଇ-ଇନ୍‌ସାନିୟତ୍‌ ଫାଇଣ୍ଡେଶନ୍‌ ଭଳିଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଛି ପାକିସ୍ତାନ। ଏଭଳି ସଙ୍ଗଠନଗୁଡ଼ିକ ପାଣ୍ଠି ଯୋଗାଣ ରୋକିବା ପାଇଁ ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ସ୍ଥିତ ଫାଇନାନ୍ସିଆଲ୍‌ ଆକ୍ସନ୍‌ ଟାକ୍ସ ଫୋର୍ସ (ଏଫ୍‌ଏଟିଏଫ୍‌) ପକ୍ଷରୁ ପାକିସ୍ତାନକୁ ୨୭ଟି କାର୍ଯାନୁଷ୍ଠାନ ଲାଗି ତାଗିଦ କରାଯାଇଥିଲା। ଇସ୍‌ଲାମାବାଦ ସେଥିରୁ ୨୫ଟି ପଏଣ୍ଟ ଉପରେ ପଦକ୍ଷେପ ନେବାରେ ବିଫଳ ହୋଇଛି। ଏଥିଯୋଗୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌), ବିଶ୍ୱବ୍ୟାଙ୍କ ଓ ୟୁରୋପୀୟ ସଂଘ (ଇୟୁ) ଭଳି ଅନ୍ତର୍ଜାତୀୟ ଋଣ ପ୍ରଦାନକାରୀ ପାକିସ୍ତାନ ଉପରେ ଆର୍ଥିକ କଟକଣା ଜାରି ରଖିବେ। ଫଳରେ ପାକିସ୍ତାନର ଆର୍ଥିକ ସ୍ଥିତି ଆହୁରି ଉଦ୍‌ବେଗଜନକ ହେବା ଆଶଙ୍କା କରାଯାଉଛି। ୨୭ ପଏଣ୍ଟରୁ ୨୫ଟିରେ ପାକିସ୍ତାନ ବିଫଳ ହୋଇଛି। ଆସନ୍ତା ଅକ୍ଟୋବରରେ ଏ ସମ୍ପର୍କିତ ୧୫ ମାସିଆ ମହଲତ ଶେଷ ହେଉଥିବାରୁ ଇସ୍‌ଲାମାବାଦ ଅଡ଼ୁଆରେ ପଡ଼ିପାରେ ବୋଲି ଆମେରିକାର ଫ୍ଲୋରିଡାରେ ରବିବାର ଆରମ୍ଭ ହୋଇଥିବା ଏଫ୍‌ଏଟିଏଫ୍‌ର ବିସ୍ତୃତ ବୈଠକ ଅବସରରେ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ୨୦୧୮ ଅକ୍ଟୋବରରେ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ସମ୍ପର୍କରେ ଭାରତ ପକ୍ଷରୁ ସୂଚନା ଦିଆଯିବା ପରେ ପଡ଼ୋଶୀ ଦେଶକୁ ଗ୍ରେ ଲିଷ୍ଟ ତାଲିକାରେ ରଖାଯାଇଥିଲା। ଗତ ଫେବୃୟାରୀରେ ଧୂସର ତାଲିକାରେ ଏହାକୁ ବଳବତ୍ତର ରଖାଯାଇଥିଲା।

Share