ପାକିସ୍ତାନରେ ଚର୍ଚ୍ଚାରେ ରହିଲେ ଅଭିନନ୍ଦନ-ସାରା

ନୂଆଦିଲ୍ଲୀ,୧୨।୧୨: ପାକିସ୍ତାନ ବିମାନକୁ ଧ୍ୱଂସ କରିଥିବା ତଥା ବାଲାକୋଟ ଏୟାର ଷ୍ଟ୍ରାଇକର ହିରୋ ବନିଥିବା ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଓ ଅଭିନେତ୍ରୀ ସାରା ଅଲି ଖାଁ ୨୦୧୯ରେ ପାକିସ୍ତାନରେ ଛାଇ ଯାଇଛନ୍ତି। ଏମାନେ ପାକିସ୍ତାନରେ ସର୍ଚ୍ଚ ଇଞ୍ଜିନ ଗୁଗୁଲ ସର୍ଚ୍ଚରେ ସାମିଲ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଶୀର୍ଷରେ ଥିବା ଜଣାପଡିଛି। ସାରା ଅଲି ଖାଁ ବଲିଉଡ୍‌ରେ ପ୍ରଥମେ ମୁଭି ‘କେଦାରନାଥ’ରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ଗୋଟିଏ ପରେ ଗୋଟିଏ ଅଫର ମିଳି ଚାଲିଛି। ସେହିପରି ଗତ ଫେବୃୟାରୀରେ ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେତେବେଳେ ସେ ବାଲାକୋଟ ଏୟାର ଷ୍ଟ୍ରାଇକରେ ପାକିସ୍ତାନ ବିମାନ ଧ୍ୱଂସ କରିବା ସହ ପାକିସ୍ତାନ ସୀମାକୁ ଚାଲି ଯାଇଥିବାରୁ ପାକ୍‌ ସେନା ତାଙ୍କୁ ବନ୍ଦୀକରି ରଖିଥିଲେ। ବହୁ ବାଦ ବିବାଦ ପରେ ପାକ୍‌ ସେନା ତାଙ୍କୁ ମୁକୁଳାଇଥିଲେ। ଏହାପରେ ତାଙ୍କୁ କିଛିଦିନ ବିରତି ଦିଆଯିବା ପରେ ଏବେ ପୁଣିଥରେ ତାଙ୍କୁ ବାୟୁସେନା ବିମାନ ଉଡାଇବାକୁ ଦିଆଯାଇଛି।

Share