ପାକିସ୍ତାନରେ ତାଲିବାନର ତୋଗଲକୀ ଆଦେଶ: ଶିଶୁଙ୍କୁ ଦିଆଯିବ ନି ପୋଲିଓ ବୁନ୍ଦା; ଅବମାନନା କଲେ ଭୋଗିବାକୁ ପଡ଼ିବ ପରିଣାମ

ଇସଲାମାବାଦ୍‌,୩।୮: ପାକିସ୍ତାନରେ ତାଲିବାନ ଆତଙ୍କବାଦୀ ସଂଗଠନ ପକ୍ଷରୁ ତୋଗଲକୀ ଆଦେଶ ଜାରି ହୋଇଛି। ମହିଳାଙ୍କୁ ଏକୁଟିଆ ବାହାରକୁ ଯିବା ପାଇଁ ବାରଣ କରାଯିବା ସହିତ ଅଧିକ ସାଉଣ୍ଡ ଦେଇ ଡିଜେ ବଜାଇବା ତଥା ଶିଶୁଙ୍କୁ ପୋଲିଓ ବୁନ୍ଦା ନ ଦେବାକୁ ସ୍ଥାନୀୟ ଉତ୍ତର ବଜିରୀସ୍ତାନର ମିରାମଶାହଠାରେ ଥିବା ତହରିକ୍‌-ଏ-ତାଲିବାନ୍‌ ସଂଗଠନର ମୁଖ୍ୟାଳୟ ପକ୍ଷରୁ ଆଦେଶ ଜାରି ହୋଇଛି। ଏହି ସଂଗଠନ ତାଲିବାନ୍‌ର ଶାଖା ଭାବେ କାର୍ଯ୍ୟ କରିଥାଏ। ଏହାକୁ ପାକିସ୍ତାନରେ ନିଷିଦ୍ଧ ମଧ୍ୟ କରାଯାଇଛି। ପୂର୍ବରୁ ସଂଗଠନ ପକ୍ଷରୁ ଏଭଳି ଆଦେଶ ବହୁଥର ଜାରି ହୋଇଛି। ତେବେ ଏହି ନୂଆ ଆଦେଶରେ ଅବମାନନା କଲେ ପରିଣାମ ଭୋଗ କରିବାକୁ ପଡ଼ିବ ବୋଲି ସଂଗଠନ କହିଛି। ସଂଗଠନ ପକ୍ଷରୁ ଉର୍ଦ୍ଦୁରେ ଏହି ଆଦେଶ ପତ୍ର ପ୍ରିଣ୍ଟ୍‌ କରାଯାଇ ଲୋକଙ୍କ ମଧ୍ୟରେ ବଣ୍ଟନ କରାଯାଉଥିବା କୁହାଯାଉଛି।

Share