ପାକିସ୍ତାନରେ ଭାଇରାଲ ହେଉଛି ସିଦ୍ଧୁଙ୍କ ନକଲି ଫଟୋ

ଇସ୍‌ଲାମାବାଦ,୨।୭: କଂଗ୍ରେସ ନେତା ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ପୂର୍ବତନ ଭାରତୀୟ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କର ଏକ ନକଲି ଫଟୋ ଏବେ ପାକିସ୍ତାନରେ ଭାଇରାଲ ହେବାରେ ଲାଗିଛି। ସବୁବେଳେ ଚର୍ଚ୍ଚାରେ ଥିବା ସିଦ୍ଧୁ ଏବେ ଏକ ଭିନ୍ନ ପଗଡି ପିନ୍ଧା ଫଟୋକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। ତେବେ ପାକିସ୍ତାନ ଶିଖ୍‌ ଗୁରୁଦ୍ୱାର ପ୍ରବନ୍ଧନ କମିଟିର ମହାସଚିବ ଗୋପାଳ ସିଂ ଚାଓ୍ବଲା ସୋସିଆଲ ମିଡିଆରେ ସିଦ୍ଧୁଙ୍କର ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସିଦ୍ଧୁ ପିନ୍ଧିଥିବା ପଗଡିରେ ପାକିସ୍ତାନ ଜାତୀୟ ପତାକାର ଚିହ୍ନ ରହିଛି। ଲାଗୁଛି ସିଦ୍ଧୁ ଯେମିତି କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ଏହି ଫଟୋଟି ଉଠାଯାଇଛି। ତେବେ ଗୋପାଳ ସିଂ ଚାଓ୍ବଲା ହେଉଛନ୍ତି ଜଣେ ଖଲିସ୍ତାନ ସମର୍ଥକ। ହେଲେ ସେ କାହିଁକି ସିଦ୍ଧୁଙ୍କର ଏମିତି ଫଟୋ ଶେୟାର କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ସୋସିଆଲ ମିଡିଆରେ ଏହି ଫଟୋକୁ ୫ଶହରୁ ଊର୍ଦ୍ଧ୍ୱ ଲାଇକ୍‌ ମିଳିଥିବା ବେଳେ ପ୍ରାୟ ୨୯ କମେଣ୍ଟ ଓ ୨୭୮ ଥର ଶେୟାର କରାଯାଇ ସାରିଲାଣି। ତେବେ ବଡ କଥା ହେଲା ପଞ୍ଜାବି ମାନେ ସାଧାରଣତଃ ସାଧା କପଡାର ପଗଡି ପିନ୍ଧି ଥାଆନ୍ତି। ତେଣୁ ଫଟୋଟିକୁ ଏଡିଟ୍‌ କରାଯାଇ ଅପ୍‌ଲୋଡ୍‌ କରାଯାଇଥିବା ଆଲୋଚନା ହେଉଛି। ଅନ୍ୟପଟେ କରତାରପୁର କରିଡର କାର୍ଯ୍ୟକ୍ରମରେ ସିଦ୍ଧୁଙ୍କ ସହ ପୂର୍ବରୁ ଗୋପାଳ ସିଂ ଚାଓ୍ବଲାଙ୍କୁ ଦେଖିବାକୁ ମିଳିଥିବା ବେଳେ ସେ କ’ଣ ପାଇଁ ଏମିତି କଲେ ତାହା ସମସ୍ତଙ୍କ ପାଇଁ ପ୍ରଶ୍ନ ସୃଷ୍ଟି କରିଛି।

Share