Categories: ଖେଳ

ପାକିସ୍ତାନରେ ୧ ଦିନିକିଆ, ୩ ଟି୨୦ ମ୍ୟାଚ୍‌ ଖେଳିବ ଏମ୍‌ସିସି

ଲଣ୍ଡନ,୧୨।୨(ପି.ଟି.)- କ୍ରିକେଟରେ ନିୟମ ପ୍ରସ୍ତୁତ କରୁଥିବା ମେରିଲବୋନ କ୍ରିକେଟ କ୍ଲବ (ଏମ୍‌ସିସି) ଆଗାମୀ ପାକିସ୍ତାନ ଗସ୍ତରେ ଗୋଟେ ଦିନିକିଆ ଓ ୩ଟି ଟି୨୦ ମ୍ୟାଚ୍‌ ଖେଳିବ। ସମସ୍ତ ମ୍ୟାଚ୍‌ ଲାହୋରଠାରେ ଖେଳାଯିବ ବୋଲି ଏମ୍‌ସିସି ପକ୍ଷରୁ କୁହାଯାଇଛି। ଗଦାଫି ଷ୍ଟାଡିୟମରେ ଏମ୍‌ସିସି ତା’ର ପ୍ରଥମ ଟି୨୦ ମ୍ୟାଚ୍‌ରେ ଲାହୋର କ୍ୱାଲାଣ୍ଡର୍ସକୁ ଭେଟିବ। ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ)ର ଲାହୋର ଦଳରେ ଅନ୍ତର୍ଜାତୀୟ ପାକିସ୍ତାନ ଷ୍ଟାର ଶାହିନ ଆଫ୍ରିଦୀ ଓ ଫକର ଜମାନଙ୍କ ଭଳି ଖେଳାଳି ରହିଛନ୍ତି। ପାକିସ୍ତାନ ଶାହିନ୍ସ ଜାତୀୟ ଏ’ ଦଳ ସହ ଏମ୍‌ସିସି ୫୦ ଓଭରିଆ ମ୍ୟାଚ୍‌ ଖେଳିବ। ସୌଦ ଶକିଲ ଘରୋଇ ଦଳର ନେତୃତ୍ୱ ନେବେ। ଏହାପରେ ଦଳ ଘରୋଇ ଟୁର୍ନାମେଣ୍ଟ ଚାମ୍ପିୟନ ନର୍ଦର୍ନ ଓ ପିଏସ୍‌ଏଲ ଚାମ୍ପିୟନ ମୁଲତାନ ସୁଲତାନ ଓ ଏମ୍‌ସିସି ମଧ୍ୟରେ ଦୁଇ ଟି୨୦ ମ୍ୟାଚ୍‌ ଖେଳାଯିବ। ମୁଲତାନ ଦଳରେ ଇଂଲଣ୍ଡର ମୋଇନ ଅଲି ଓ ଜେମ୍ସ ଭିନ୍ସ ଅଛନ୍ତି। ଏହି ଗସ୍ତ ଆସନ୍ତା ଗୁରୁବାରଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏମ୍‌ସିସି ସଭାପତି କୁମାର ସଙ୍ଗକାରାଙ୍କ ନେତୃତ୍ୱରେ ୧୨ ଜଣିଆ ଦଳ ପାକିସ୍ତାନ ଗସ୍ତ କରିବ। ଏହି ଦଳରେ ରବି ବୋପାରା, ରୋଲଫ ଭାର ଡର ମେଓର୍‌ବ ଓ ରସ ହ୍ବାଇଟ୍‌ଲିଙ୍କ ଭଳି ପୂର୍ବତନ ଖେଳାଳି ରହିଛନ୍ତି। ଏମ୍‌ସିସି ମୁଖ୍ୟ କୋଚ୍‌ ଅଜମଲ ଶେହଜାଦ କହିଛନ୍ତି ଏହି ପାକିସ୍ତାନ ଗସ୍ତରେ ସମସ୍ତେ ଜଡ଼ିତ ରହିଛନ୍ତି। ଦଳରେ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଓ ଅଭିଜ୍ଞ ଘରୋଇ ଖେଳାଳି ରହିଛନ୍ତି। ଆଶା କରୁଛୁ ଆମେ ପାକିସ୍ତାନର ଉଦୀୟମାନ ଖେଳାଳିଙ୍କୁ କଡ଼ା ଟକ୍କର ଦେବୁ।

Share