Categories: ଜାତୀୟ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଏଲ୍‌ଓସିରେ ଯବାନ ଶହୀଦ

ଜମ୍ମୁ,୨ା୯(ପି.ଟି.): ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖାରେ ରବିବାର ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତର ଆଗୁଆ ଘାଟି ଓ ସୀମାନ୍ତବର୍ତ୍ତୀ ଗାଁ ଉପରେ ମୋର୍ଟାର ଓ ଗୁଳିଗୋଳା ମାଡ଼ କରିଛି। ସୀମାପାର ଗୁଳିରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ସେ ପୁଞ୍ଚ୍‌ ସେକ୍ଟର ଅନ୍ତର୍ଗତ ଶାହପୁର-କେର୍ନି ଅଞ୍ଚଳରେ ଅବସ୍ଥିତ ଆଗୁଆ ଘାଟିରେ ମୁତୟନ ଥିଲେ ବୋଲି ଜଣେ ସେନା ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଶହୀଦ ଯବାନଙ୍କ ସମ୍ପର୍କିତ ସବିଶେଷ ତଥ୍ୟ ମିଳିନାହିଁ।
ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ବତ ପୁଞ୍ଚ୍‌ ଓ ରଜୌରୀ ଜିଲା ଅନ୍ତର୍ଗତ ଏଲ୍‌ଓସି ଯାଇ ସେଠାର ସ୍ଥିତି ଏବଂ ସୈନ୍ୟବାହିନୀର ପ୍ରସ୍ତୁତି ସମୀକ୍ଷା କରି ଫେରିବାର ଦିନକ ପରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ତେବେ ଭାରତୀୟ ସେନା ତାହାର ଠିକଣା ଜବାବ ଦେଇଥିବା ଲ୍ୟୁଟନାଣ୍ଟ କଲୋନେଲ ଦେବେନ୍ଦ୍ର ଆନନ୍ଦ ସୂଚନା ଦେଇଛନ୍ତି। ଦୀର୍ଘ ସମୟ ଧରି ଉଭୟ ପଟୁ ଗୁଳି ବିନିମୟ ଜାରି ରହିଥିଲା। କୌଣସି କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ମିଳିନାହିଁ। ଜୁଲାଇରୁ ଇତିମଧ୍ୟରେ ପାକିସ୍ତାନର ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନରେ ୫ ଯବାନଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଲାଣି। ମୃତକଙ୍କ ମଧ୍ୟରେ ଜଣେ ୧୦ ଦିନର ଶିଶୁ ଅଛନ୍ତି। ଏହାବ୍ୟତୀତ ଅନେକ ଆହତ ହୋଇଛନ୍ତି।
ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ସୀମାନ୍ତରେ ଉତ୍ତେଜନା ଲାଗି ରହିଛି। ଜେନେରାଲ ରାଓ୍ବତ ଦୁଇଦିନିଆ ଗସ୍ତରେ କଶ୍ମୀର ଯାଇ ସେନାର ପ୍ରସ୍ତୁତି ଏବଂ ଅସ୍ତ୍ରବିରତି ଉଲ୍ଲଂଘନର ପାଲଟା ଜବାବ ଦେବା ଲାଗି ହୋଇଥିବା ବ୍ୟବସ୍ଥା, ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିବା ଏବଂ ଏଲ୍‌ଓସିରେ ହିଂସାତ୍ମକ କାର୍ଯ୍ୟ ରୋକିବା ଲାଗି ବିଭିନ୍ନ ପଦକ୍ଷେପର ଅନୁଧ୍ୟାନ କରିଥିଲେ। ସେଠାରେ ନିୟୋଜିତ ଥିବା ଯବାନମାନଙ୍କ ସହ ସେନାଧ୍ୟକ୍ଷ କଥା ହୋଇଥିଲେ। ଯବାନମାନଙ୍କ ଉତ୍ସର୍ଗୀକୃତ ସେବା ମନୋଭାବ, ନିଃସ୍ବାର୍ଥପର ତ୍ୟାଗ ଏବଂ ଉଚ୍ଚମାନର ପେସାଦାରିତାର ଉଚ୍ଚ ପ୍ରଶଂସା କରିଥିଲେ ଜେନେରାଲ ରାଓ୍ବତ।

Share