Categories: ଜାତୀୟ

ପାକିସ୍ତାନର ବିବାଦୀୟ ପ୍ରଦର୍ଶନ: କର୍‌ତାରପୁରରେ ବୋମା ପକାଇଥିଲା ଭାରତ

ନୂଆଦିଲ୍ଲୀ,୯ା୧୧: କର୍‌ତାରପୁର କରିଡର ଉଦ୍‌ଘାଟନର ଦିନକ ପୂର୍ବରୁ ପାକିସ୍ତାନୀ କର୍ତ୍ତୃପକ୍ଷ ସେଠାରେ ବିବାଦୀୟ ପ୍ରଦର୍ଶନ କରିଛନ୍ତି। ସେଠାକୁ ଭ୍ରମଣରେ ଯାଇଥିବା କେତେଜଣ ଭାରତୀୟଙ୍କ ସୂଚନା ଅନୁଯାୟୀ ପାକ୍‌ କର୍ତ୍ତୃପକ୍ଷ କର୍‌ତାରପୁର ଦରବାର ସାହିବ୍‌ ଗୁରୁଦ୍ୱାର ନିକଟରେ ଏକ ସ୍ତମ୍ଭ ସ୍ଥାପନ କରି ଏହା ଉପରେ କାଚ ଢାଙ୍କୁଣି ମଧ୍ୟରେ ଏକ ଛୋଟ ବୋମା ରଖିଛନ୍ତି। ୧୯୭୧ ଯୁଦ୍ଧ ବେଳେ ଭାରତୀୟ ବାୟୁସେନା ଗୁରୁଦ୍ୱାରଠାରେ ଉକ୍ତ ବୋମା ଫିଙ୍ଗିଥିଲା ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଉକ୍ତ ସ୍ତମ୍ଭରେ ଶିଖ୍‌ମାନଙ୍କ ବିଶ୍ୱାସର ପ୍ରତୀକ ଖଣ୍ଡା ଚିହ୍ନ ରହିଛି। ସ୍ତମ୍ଭ ନିକଟରେ ସ୍ଥାପିତ ବୋର୍ଡରେ ‘ଓ୍ବାହେ ଗୁରୁଜୀଙ୍କ ଚମତ୍କାରିତା’ ବୋଲି ଲେଖାଯାଇଛି। ଏଥିରେ ଉଲ୍ଲେଖ ଅଛି ୧୯୭୧ରେ କର୍‌ତାରପୁରର ଦରବାର ସାହିବ ଗୁରୁଦ୍ୱାରକୁ ଧ୍ୱଂସ କରିଦେବା ପାଇଁ ଭାରତୀୟ ବାୟୁସେନା ବୋମା ଫିଙ୍ଗିଥିଲା। କିନ୍ତୁ ଓ୍ବାହେ ଗୁରୁଜୀ (ସର୍ବଶକ୍ତିମାନ ଆଲ୍ଲା)ଙ୍କ କୃପାରୁ ସେମାନଙ୍କର ମନ୍ଦ ଉଦ୍ଦେଶ୍ୟ ପୂରଣ ହେଲାନାହିଁ। ବୋମାଟି ଗୁରୁଦ୍ୱାର ଉପରେ ନ ପଡି ସେଠାରେ ଥିବା ପବିତ୍ର କୂଅ (ଶ୍ରୀ ଖୂ ସାହିବ୍‌)ରେ ପଡିଥିଲା। ଉକ୍ତ ପବିତ୍ର କୂଅକୁ ଗୁରୁ ନାନକ ଦେବ ବ୍ୟବହାର କରୁଥିଲେ ବୋଲି ଉଲ୍ଲେଖ ଅଛି।
ସୂଚନାଯୋଗ୍ୟ ଚଳିତ ସପ୍ତାହ ଆରମ୍ଭରେ ପାକିସ୍ତାନ କର୍ତ୍ତୃପକ୍ଷ କର୍‌ତାରପୁର କରିଡର ଉନ୍ମୋଚନ ଲାଗି ଏକ ସଙ୍ଗୀତର ଶୁଭାରମ୍ଭ କରିଥିଲେ, ଯେଉଁ ପୋଷ୍ଟରରେ ଖଲିସ୍ଥାନୀ ବିଚ୍ଛିନ୍ନତାବାଦୀ ନେତାମାନଙ୍କ ଫଟୋ ରହିଥିଲା। ଭାରତ ଏହାକୁ ନିନ୍ଦା କରିବା ସହ ଇସ୍‌ଲାମାବାଦ ନିକଟରେ ପ୍ରତିବାଦ ଜଣାଇଥିଲା।

୯ ଓ ୧୨ରେ ଟିକସ ଛାଡ଼

୯ ତାରିଖ କର୍‌ତାରପୁର କରିଡର ଉଦ୍‌ଘାଟନ ଦିବସ ଏବଂ ୧୨ ତାରିଖ ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମବାର୍ଷିକୀରେ ଦରବାର ସାହିବ୍‌ ଗୁରୁଦ୍ୱାର ପରିଦର୍ଶନରେ ଆସୁଥିବା ଭାରତୀୟ ତୀର୍ଥଯାତ୍ରୀଙ୍କଠାରୁ ୨୦ ଡଲାର ସେବା ଟିକସ ଆଦାୟ କରାଯିବନି ବୋଲି ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ ଶୁକ୍ରବାର ସ୍ପଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପୂର୍ବରୁ ଏହା ଘୋଷଣା କରିଥିଲେ। ପରେ ନିଷ୍ପତ୍ତି ବଦଳା ଯାଇ ଶନିବାରଠାରୁ ଭାରତୀୟ ତୀର୍ଥଯାତ୍ରୀଙ୍କୁ ସେବା ଟିକସ ଦେବାକୁ ପଡିବ ବୋଲି ପାକ୍‌ କର୍ତ୍ତୃପକ୍ଷ ଜଣାଇଥିଲେ। ଭାରତୀୟ ତୀର୍ଥଯାତ୍ରୀଙ୍କୁ କର୍‌ତାରପୁର ଆସିବା ଲାଗି ପାସ୍‌ପୋର୍ଟ ଲାଗିବ ନାହିଁ ବୋଲି ପୂର୍ବରୁ ଇମ୍ରାନ କହିଥିଲାବେଳେ ପାକ୍‌ ସେନାବାହିନୀ ଏହାକୁ ବଦଳାଇଦେଇଥିଲା।

Share