ଇସ୍ଲାମାବାଦ,୧୦।୧୨: ପାକିସ୍ତାନର ଇମ୍ରାନ ଖାଁ ସରକାର ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏବେ ଏଠାକାର ମହଙ୍ଗା ମାଡ ବିଶେଷ ଭାବେ କିନ୍ନର ସମାଜ ଉପରେ ପଡିଛି ବୋଲି କୁହାଯାଉଛି। କିନ୍ନରମାନଙ୍କର କହିବା କଥା ହେଲା ଏବେ ପାକିସ୍ତାନର ଆର୍ଥିକ ପରିସ୍ଥିତି ଯୋଗୁ ସେମାନଙ୍କୁ ଦିନକୁ ଦିଓଳି ଖାଇବାକୁ ମଧ୍ୟ ମିଳୁନାହିଁ। କାରଣ ଲୋକଙ୍କ ପାଖରେ ଅର୍ଥର ଅଭାବ ଥିବାରୁ ପୂର୍ବରୁ ସେମାନଙ୍କୁ ଯେମିତି ବିଭିନ୍ନ କାର୍ଯ୍ୟକ୍ରମକୁ ଲୋକେ ଡାକି ପାରିଶ୍ରମିକ ଦେଉଥିଲେ ତାହା ଏବେ ଆଉ ମିଳୁନାହିଁ। କଟରିନା ନାମକ ଜଣେ କିନ୍ନର କୁହନ୍ତି ପୂର୍ବରୁ ନାଚଗୀତ କାର୍ଯ୍ୟକ୍ରମ ପାଇଁ ଆମ ପାଖରେ ଲୋକଙ୍କ ଭିଡ ଲାଗୁଥିଲା। ହେଲେ ଏବେ କେହି ଆମକୁ ଚାହୁଁ ନାହାନ୍ତି। ପୂର୍ବରୁ ୩-୪ ଜଣ କିନ୍ନର ଗୋଟିଏ କାର୍ଯ୍ୟକ୍ରମରେ ୨୦-୩୦ ହଜାର ଟଙ୍କା ଆୟ କରୁଥିବା ବେଳେ ସେଥିକୁ କିଛି ଅର୍ଥ ଗୁରୁଙ୍କୁ ଦେବା ପରେ ବି ଆମେ ଚଳିଯାଉଥିଲୁ। ହେଲେ ଏବେ ଏମିତି କାର୍ଯ୍ୟକ୍ରମ ତ ମିଳୁନାହିଁ ଯଦିଓ କେବେ ମିଳୁଛି ତେବେ ଖାଲି ହାତରେ ଫେରିବାକୁ ପଡୁଛି।