Categories: ଖେଳ

ପାକିସ୍ତାନର ସିରିଜ ବିଜୟ

କରାଚୀ, ୨୪ା୧୨ (ଏଏଫ୍‌ପି)- କରାଚୀଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚରେ ପାକିସ୍ତାନ ୨୬୩ ରନରେ ସହଜ ବିଜୟ ହାସଲ କରିଛି। ଏଥିସହ ଦଳ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ୧-୦ରେ ଜିତିନେଇଛି। ସୋମବାର ଅନ୍ତିମ ତଥା ୫ମ ଦିବସ ଖେଳରେ ପାକିସ୍ତାନ ମାତ୍ର ୧୪ ମିନିଟ ଓ ୧୬ ବଲ୍‌ ବିନିମୟରେ ମ୍ୟାଚ ଜିତି ନେଇଥିଲା। ଭ୍ରମଣକାରୀ ଦଳ ପୂର୍ବଦିନର ଅସମାପ୍ତ ସ୍କୋର ୨୧୨ରେ ଗୋଟିଏ ହେଲେ ରନ ଯୋଗ କରି ପାରି ନ ଥିବାବେଳେ ଏହାର ଅବଶିଷ୍ଟ ୩ ଉଇକେଟ ହରାଇଥିଲା। ପାକିସ୍ତାନ ରବିବାର ଶ୍ରୀଲଙ୍କା ବିପକ୍ଷରେ ୪୭୬ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ପାକିସ୍ତାନର ସ୍ବଳ୍ପ ବୟସ୍କ ବୋଲର ନସିମ୍‌ ଶାହ (୧୬ ବର୍ଷ ଓ ୩୦୭ ଦିନ) ଚମତ୍କାର ବୋଲିଂ କରି ୩୧ରନ ବିନିମୟରେ ୫ ଉଇକେଟ ହାସଲ କରିଥିଲେ। ଏକ ଟେଷ୍ଟ ଇନିଂସରେ ୫ ଉଇକେଟ ହାସଲ କରିବାରେ ସେ ପାକିସ୍ତାନର ଦ୍ୱିତୀୟ ସର୍ବକନିଷ୍ଠ ବୋଲର ବିବେଚିତ ହୋଇଛନ୍ତି। ପାକିସ୍ତାନର ସର୍ବକନିଷ୍ଠ ବୋଲର ଭାବେ ଗୋଟିଏ ଇନିଂସରେ ୫ ଉଇକେଟ ସଫଳତା ରେକର୍ଡ ବାମହାତୀ ସ୍ପିନର ନାସିମ ଉଲ୍‌ ଘାନିଙ୍କ ନାମରେ ରହିଛି। ଶାହଙ୍କଠାରୁ ଘାନି ବୟସରେ ୪ ଦିନ ସାନ। ୧୯୫୭-୫୮ରେ ଜର୍ଜଟାଉନ୍‌ଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ସେ ଏହି ସଫଳତା ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର
ପାକିସ୍ତାନ ପ୍ରଥମ ଇନିଂସ: ୧୯୧
ଶ୍ରୀଲଙ୍କା ପ୍ରଥମ ଇନିଂସ: ୨୭୧
ପାକିସ୍ତାନ ଦ୍ୱିତୀୟ ଇନିଂସ: ୫୫୫/୩
ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ: ୨୧୨ ( ଓସାଡା ଫର୍ନାଣ୍ଡୋ-୧୦୨, ନିରୋଶାନ ଡିକ୍‌ଓ୍ବେଲା-୬୫, ନସିମ ଶାହ-୫/୩୧, ୟାସିର ଶାହ-୨/୮୪)।

Share