Categories: ଜାତୀୟ

ପାକିସ୍ତାନ କୁଳଭୂଷଣଙ୍କୁ ତୁରନ୍ତ ମୁକ୍ତ କରୁ: ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ, ୧୮।୭: ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ପାକିସ୍ତାନରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କୁ ନେଇ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ) ଦେଇଥିବା ରାୟ ଉପରେ ନିଜ ମତ ରଖିଛନ୍ତି। ଗୁରୁବାର ରାଜ୍ୟସଭାରେ ସେ କହିଛନ୍ତି, ଆଇସିଜେ ଭାରତ ସପକ୍ଷରେ ମତ ଦେଇଛନ୍ତି। କୋର୍ଟ କହିଛନ୍ତି ପାକିସ୍ତାନ ଅନ୍ତର୍ଜାତୀୟ ନିୟମ ଭାଙ୍ଗିଛନ୍ତି। ଏବଂ ଭିଏନା ସନ୍ଧି ଖିଲାପ କରିଛନ୍ତି। ତେଣୁ ପାକିସ୍ତାନ ତରନ୍ତ କୁଳଭୂଷଣଙ୍କୁ ମୁକ୍ତ କରୁ। ସୂଚନାଯୋଗ୍ୟ, ଭାରତର ପୂର୍ବତନ ନୌସେନାଧିକାରୀ କୁଳଭୂଷଣଙ୍କୁ ଅପହରଣ କରି ପାକିସ୍ତାନ ନେଇଯାଇଥିବା ଭାରତ ଅଭିଯୋଗ କରିଥିବାବେଳେ ବେଲୁଚିସ୍ତାନରୁ ତାଙ୍କୁ ଗୁପ୍ତଚର କାର୍ଯ୍ୟ ଲାଗି ଗିରଫ କରାଯାଇଥିବା ପାକିସ୍ତାନ କହୁଛି। ଆତଙ୍କବାଦ ସହ ଯୋଡ଼ି ପାକ୍‌ ସେନା ଅଦାଲତ କୁଳଭୂଷଣଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିବାବେଳେ ଏନେଇ ଭାରତ ଆଇସିଜେରେ ଆବେଦନ କରିବାରୁ କୁଳଭୂଷଣଙ୍କ ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ଲାଗିଛି।

Share