ପାକିସ୍ତାନ କୋର୍ଟକୁ ଜଣାଇଲେ ହଫିଜ୍‌: ୨୬/୧୧ ଆକ୍ରମଣରେ ସମ୍ପୃକ୍ତ ନୁହେଁ

ଇସଲାମାବାଦ,୧୩ା୭: ଜମାତ୍‌-ଉଦ୍‌-ଦାଓ୍ବା (ଜେୟୁଡି)ର ମୁଖ୍ୟ ହଫିଜ୍‌ ସୟିଦ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ନୁହଁନ୍ତି ବୋଲି ଶୁକ୍ରବାର ଲାହୋର ହାଇକୋର୍ଟଙ୍କୁ ଜଣାଇଛନ୍ତି। ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ନେଇ ଦାଏର ମାମଲାକୁ ହଫିଜ୍‌ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ହଫିଜ୍‌ ସମେତ ଅମିର ହମ୍‌ଜା, ଅବଦୁର୍‌ ରେହମନ ମକ୍କି, ଏମ୍‌. ୟାହ୍ୟା ଅଜିଜ ଏବଂ ଅନ୍ୟ ୪ ଜଣ ଲାହୋର ହାଇକୋର୍ଟରେ ପିଟିଶନ୍‌ ଦାଏର କରିଛନ୍ତି। ସେମାନଙ୍କ ବିରୋଧରେ ଦାଏର ଏତଲାକୁ ଖାରଜ କରିବା ଲାଗି ପିଟିଶନ୍‌ରେ ଅନୁରୋଧ କରାଯାଇଛି। ବେଆଇନ ଘୋଷିତ ଲଶ୍କର-ଇ-ତୋଇବା ଏବଂ ଅଲ୍‌-କଏଦା କିମ୍ବା ଅନ୍ୟ କୌଣସି ଆତଙ୍କବାଦୀ ସଂଗଠନ ସହ ହଫିଜ୍‌ର ସମ୍ପୃକ୍ତି ନ ଥିବା ପିଟିଶନ୍‌ରେ ଉଲ୍ଲେଖ କରାଯାଇଛି। ହଫିଜକୁ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି ଭାରତ ଅଭିଯୋଗ କରୁଥିବାବେଳେ ଏହା ବାସ୍ତବତା ଉପରେ ଆଧାରିତ ନୁହେଁ ବୋଲି ପିଟିଶନ୍‌ରେ କୁହାଯାଇଛି।

Share