Categories: ଜାତୀୟ

ପାକିସ୍ତାନ-ଚାଇନା-ନେପାଳ ସହିତ ସୀମା ବିବାଦ: ମୋଦିଙ୍କ ପାଇଁ ପାଲଟିଛି ଅଗ୍ନି ପରୀକ୍ଷା

ନୂଆଦିଲ୍ଲୀ, ୧୮।୬: ଭାରତ ସହିତ ପାକିସ୍ତାନ,ଚାଇନା ଓ ନେପାଳର ସୀମା ବିବାଦ ଜାରି ରହିଛି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅଗ୍ନି ପରୀକ୍ଷା ପାଲଟିଛି। ଚାଇନାର ସୀମା ବିବାଦ ଯୋଗୁ ଗଲଓ୍ବାନ ଘାଟିରେ ସଂଘର୍ଷ ଘଟି ସାରିଛି। ଏହାର ସମାଧାନ ଲାଗି ଦୁଇପକ୍ଷଙ୍କ ମଧ୍ୟରେ ଉଦ୍ୟମ ଅବ୍ୟାହତ ରହିଛି। କାଲାପାଣି, ଲିମ୍ପିଆଧୁରା ଏବଂ ଲିପୁଲେଖ ନେଇ ନେପାଳ ଭାରତକୁ ଅଡୁଆରେ ପକାଇଛି। ଏହାପଛରେ ଚାଇନାର ହାତ ଥିବା କୁହାଯାଉଛି। ଇତିମଧ୍ୟରେ ନେପାଳ ସଂସଦରେ ମାନଚିତ୍ର ସଂଶୋଧନ ପ୍ରସ୍ତାବ ପାରିତ ହୋଇ ସାରିଛି। ଏହା ଭାରତ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ଅପରପକ୍ଷରେ ପାକିସ୍ତାନ ସହିତ ଦୀର୍ଘ ଦିନ ଧରି ବିବାଦ ଜାରି ରହିଛି। ଗିଲଗିଟ୍‌-ବଲ୍ଟିସ୍ତାନରେ ନିର୍ବାଚନ କରାଇବା ଲାଗି ପାକିସ୍ତାନ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେବା ପରେ ସ୍ଥିତି ଅଧିକ ସଙ୍କଟ ଜନକ ହେବାରେ ଲାଗିଛି। ସେହିପରି ଭାରତୀୟ ନ୍ୟୁଜ୍‌ ଚ୍ୟାନେଲରେ ପାକ୍‌ ଅଧିକୃତ କଶ୍ମୀର(ପିଓକେ)ର ପାଣିପାଗ ଖବ ପ୍ରସାରିତ ହେବା ପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଭାରତର ୩ ପଡୋଶୀ ଏକ ସମୟରେ ସୀମାରେ ସମସ୍ୟା ସୃଷ୍ଟି କରିବା ନେଇ ନାନା ମନ୍ତବ୍ୟ ପ୍ରକାଶ ପାଇଛି। ପାକିସ୍ତାନ ସହିତ ସୀମା ବିବାଦ ପୁରୁଣା ହେଲେ ମଧ୍ୟ ଚାଇନା ଏବଂ ନେପାଳ ଏକ ସମୟରେ ମିଳିତ ଭାବେ ଭାରତକୁ ଘେରିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଚାଇନାର ଉହାନରେ କରୋନା ସଂକ୍ରମଣ ପରେ ପରେ ଏଭଳି ଅବସ୍ଥା ସୃଷ୍ଟି ହେବାର କାରଣ ନେଇ ଚର୍ଚ୍ଚା ଜାରି ରହିଛି।

Share