Categories: ଖେଳ

ପାକିସ୍ତାନ ଚୟନକର୍ତ୍ତା କିମ୍ବା ଟିମ୍‌ ମ୍ୟାନେଜର ହୋଇପାରନ୍ତି ମହସିନ

କରାଚୀ, ୨୪ା୬ (ପି.ଟି.)-ପୂର୍ବତନ ଟେଷ୍ଟ ବ୍ୟାଟ୍ସମ୍ୟାନ ଏବଂ ମୁଖ୍ୟ କୋଚ୍‌ ମହସିନ ହସନ ଖାଁ ପାକିସ୍ତାନ କ୍ରିକେଟରେ ପୁଣି କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ଫେରିପାରନ୍ତି। ଚଳିତ ଆଇସିସି ବିଶ୍ୱକପ୍‌ ପରେ ସେ ମୁଖ୍ୟ ଚୟନକର୍ତ୍ତା କିମ୍ବା ଜାତୀୟ ଟିମ୍‌ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇପାରନ୍ତି। ୨୦୧୨ରେ ମୁଖ୍ୟ କୋଚ୍‌ ଏବଂ ମୁଖ୍ୟ ଚୟନକର୍ତ୍ତା ରହିଥିବା ମହସିନ୍‌ ନିକଟରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) କ୍ରିକେଟ କମିଟି ମୁଖ୍ୟ ପଦବୀରୁ ଓହରିଯାଇଛନ୍ତି। ୬୪ ବର୍ଷୀୟ ମହସିନ ଜାତୀୟ ଦଳର କାମଚଳା କୋଚ୍‌ ଥିବାବେଳେ ବାଂଲାଦେଶ, ଶ୍ରୀଲଙ୍କା ଏବଂ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ଟେଷ୍ଟ ସିରିଜ ଜିତିପାରିଥିଲା। ୨୦୧୨ ପ୍ରଥମ ଭାଗରେ ୟୁଏଇରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ କ୍ଲିନ୍‌ ସୁଇପ୍‌ ବିଜୟ ହାସଲ କରିଥିଲା। ଏହା ସତ୍ତ୍ୱେ ଜାକା ଅଶ୍ରଫ୍‌ ପିସିବି ଚେୟାରମ୍ୟାନ ପଦବୀରେ ଅଧିଷ୍ଠିତ ହେବା ପରେ ମହସିନଙ୍କ ସ୍ଥାନରେ ବିଦେଶୀ କୋଚ୍‌ ଡେଭ୍‌ ହ୍ବାଟମୋର୍‌ ନିଯୁକ୍ତି ପାଇଥିଲେ। ବିଶ୍ୱକପ୍‌ ପରେ ପାକିସ୍ତାନ ଦଳ ଏବଂ ସହଯୋଗୀ ଷ୍ଟାଫ୍‌ଙ୍କ ୩ବର୍ଷର ପ୍ରଦର୍ଶନକୁ ନେଇ ସମୀକ୍ଷା କରାଯିବା ସହ ଖରାପ ପ୍ରଦର୍ଶନର କାରଣର ତଦନ୍ତ କରାଯିବ ବୋଲି ପିସିବି ଘୋଷଣା କରିଛି। ବର୍ତ୍ତମାନ ଅଧିକ କ୍ଷମତାଶାଳୀ ହୋଇଥିବା ମ୍ୟାନେଜିଂ ଡାଇରେକ୍ଟର ତଥା କ୍ରିକେଟ କମିଟି ମୁଖ୍ୟ ଓ୍ବାସିମ ଖାଁ ପିସିବିରେ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବିଶ୍ୱକପ୍‌ ପରେ ସେ ଏକ ନୂଆ ସିଲେକ୍ସନ କମିଟି ଏବଂ ଟିମ୍‌ ମ୍ୟାନେଜମେଣ୍ଟ ଘୋଷଣା କରିବେ ବୋଲି ଆଶା କରାଯାଉଛି।

Share