Categories: ଜାତୀୟ

ପାକିସ୍ତାନ ପାଇଁ ଗୁପ୍ତଚରୀ: ୯ ବର୍ଷରେ ୩୨ ସେନା ଓ ବିଏସ୍‌ଏଫ୍‌ ଯବାନ ଗିରଫ

ଯୋଧପୁର,୧୯।୧: ଗତ ୯ ବର୍ଷରେ ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗରେ ଭାରତର ୩୨ ସେନା ଓ ବିଏସ୍‌ଏଫ୍‌ ଯବାନଙ୍କୁ ଗିରଫ କରାଯାଇଛି। ସେଥିମଧ୍ୟରୁ ୨୦୧୯ରେ ସର୍ବାଧିକ ୧୩ଙ୍କୁ ଏହି ଅଭିଯୋଗରେ ଗିରଫ କରାଯାଇଛି। ଏନେଇ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ସେନାର ସର୍ବାଧିକ ୧୫ ,ନୌସେନାର ୭, ବାୟୁସେନାର ୨, ବିଏସ୍‌ଏଫ୍‌ର ୪ ଯବାନ ରହିଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ଏକ୍ସ ସର୍ଭିସ୍‌ମ୍ୟାନ୍‌ ରହିଛନ୍ତି। ଅଧିକ ଯବାନ ସୋସିଆଲ୍‌ ମିଡ଼ିଆରେ ହନିଟ୍ରାପ୍‌ର ଶିକାର ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ସେମାନେ ପାକିସ୍ତାନକୁ ପରମାଣୁ ବୁଡ଼ାଜାହାଜ ସମେତ କ୍ଷେପଣାସ୍ତ୍ର ସମ୍ପର୍କିତ ବହୁ ସମ୍ବେଦନଶୀଳ ତଥ୍ୟ ପ୍ରଦାନ କରିଛନ୍ତି। ଦେଶର ସୁରକ୍ଷା କାର୍ଯ୍ୟରେ ମୁତୟନ ଥିବା ବହୁ ବ୍ୟକ୍ତି ନିଯୁକ୍ତି ପୂର୍ବରୁ ଆତଙ୍କବାଦୀଙ୍କ ଯୋଗାଯୋଗରେ ରହିଥାନ୍ତି। ପରବର୍ତ୍ତି ସମୟରେ ସେମାନେ ଏଭଳି କାର୍ଯ୍ୟ କରିଥାନ୍ତି ବୋଲି ବ୍ରିଗେଡ଼ିୟର ରବିନ୍ଦ୍ର କୁମାର କହିଛନ୍ତି। ତେବେ ସେନାରେ ନିଯୁକ୍ତି ସମୟଠାରୁ ଶତ୍ରୁପକ୍ଷ ଯବାନଙ୍କ ଏଭଳି କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥାନ୍ତି। ଏସମ୍ପର୍କରେ ଅଜଣା ଥିବା କିଛି ଯବାନଙ୍କୁ ଶତ୍ରୁ ସହଜରେ ଫଶାଇ ଦେଇଥାନ୍ତି ବୋଲି ସେ କହିଛନ୍ତି। ତେବେ ସେନା କୋର୍ଟରେ ଏନେଇ ଦୋଷୀଙ୍କ କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଦଣ୍ଡ ବିଧାନ କରାଯାଇଥାଏ।

Share