ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଜନତାଙ୍କ ପ୍ରଶ୍ନ: ବର୍ଦ୍ଧିତ ପେଟ୍ରୋଲ ଦର କ’ଣ ଆମ ପାଇଁ ଉପହାର

ଇସଲାମାବାଦ,୨।୮: ପାକିସ୍ତାନ ବେଳକୁ ବେଳ ଆର୍ଥିକ ସଙ୍କଟ ମଧ୍ୟକୁ ଚାଲି ଯାଉଥିବା ବେଳେ ପେଟ୍ରୋଲର ଦର ବୃଦ୍ଧି ଏବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଅଡୁଆରେ ପକାଇଛି। ପାକିସ୍ତାନରେ ଏବେ ପେଟ୍ରୋଲ ଲିଟର ପହଞ୍ଚିଛି ୧୧୭ ଟଙ୍କାରେ। ଆଉ ଏହାକୁ ଦେଖିବା ପରେ ଲୋକେ କହିଛନ୍ତି ଏବେ କ’ଣ ହେବ ପାକିସ୍ତାନର ଅବସ୍ଥା। ଆଉ କେତେଜଣ ସୋସିଆଲ ମିଡିଆ ୟୁଜର କହିଛନ୍ତି ସରକାର କାନ୍ଦୁଛନ୍ତି ଯେ ଲୋକେ ଟ୍ୟାକ୍ସ ଦେଉ ନାହାଁନ୍ତି। ତେଣୁ ଆର୍ଥିକ ସ୍ଥିତିରେ ସୁଧାର ଆସିପାରୁ ନାହିଁ। ହେଲେ ଯେଉଁମାନେ ଟ୍ୟାକ୍ସ ଦେଉଛନ୍ତି ଏବେ ସେମାନେ ପ୍ରଶ୍ନ କରିଛନ୍ତି ପେଟ୍ରୋଲ ଦାମ୍‌ ୧୧୭ ହେବା କ’ଣ ଟ୍ୟାକ୍ସ ଦାତାଙ୍କ ପାଇଁ ଉପହାର କି । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଅଏଲ ଆଣ୍ଡ ଗ୍ୟାସ ଡେଭଲପ୍‌ମେଣ୍ଟ ଅଥରିଟି(ଓଜିଆର୍‌ଏ)ର ସୁପାରିସ ଅନୁଯାୟୀ ପେଟ୍ରୋଲ ଦାମରେ ଲିଟର ପିଛା ୫ଟଙ୍କା ୧୫ ପଇସା ବୃଦ୍ଧି କରିଛନ୍ତି। ଫଳରେ ଏବେ ପାକିସ୍ତାନରେ ପେଟ୍ରୋଲ୍‌ ଲିଟର ପିଛା ଦାମ୍‌ ହୋଇଛି ୧୧୭ ଟଙ୍କା। ଏସବୁ କ୍ଷେତ୍ରରେ ଦରଦାମ ବୃଦ୍ଧି ଏବେ ସାଧାରଣ ଜନତାଙ୍କ ଉପରେ ପ୍ରଭାବ ପକାଉଛି।

Share