Categories: ଖେଳ

ପାକିସ୍ତାନ ବିପକ୍ଷ ଡେଭିସ କପ୍‌: ରାଜପାଲ ନନ୍‌ ପ୍ଲେଇଙ୍ଗ୍‌ କ୍ୟାପଟେନ

ନୂଆଦିଲ୍ଲୀ, ୫।୧୧(ପି.ଟି.)- ପାକିସ୍ତାନ ବିପକ୍ଷ ଡେଭିସ କପ୍‌ ଟାଇ ପାଇଁ ପୂର୍ବତନ ଖେଳାଳି ତଥା ଜାତୀୟ ଟେନିସ ଫେଡେରେଶନ ଚୟନ କମିଟି ଅଧ୍ୟକ୍ଷ ରୋହିତ ରାଜପାଲ ଭାରତର ନନ୍‌ ପ୍ଲେଇଙ୍ଗ୍‌ କ୍ୟାପ୍‌ଟେନ ନିଯୁକ୍ତ ହୋଇଛନ୍ତି। ଚଣ୍ଡିଗଡ୍‌ରେ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ପରେ ସୋମବାର ଏ ନେଇ ଅଲ ଇଣ୍ଡିଆ ଟେନିସ ଆସୋସିଏଶନ (ଏଆଇଟିଏ) ତରଫରୁ ଘୋଷଣା କରାଯାଇଛି। ନିରାପତ୍ତା କାରଣରୁ ଟପ୍‌ ଖେଳାଳି ତଥା ଅଧିନାୟକ ମହେଶ ଭୂପତି ଓହରିଯିବା ଯାଇଥିଲେ। ଫଳରେ ୪୬ ବର୍ଷୟ ତଥା ଅଭିଜ୍ଞ ଖେଳାଳି ଲିଆଣ୍ଡର ପେସ୍‌ ନନ୍‌ ପ୍ଲେଇଙ୍ଗ ଅଧିନାୟକ ନିଯୁକ୍ତ ହେବେ ବୋଲି ଆଶା କରାଯାଉଥିଲା। ତେବେ ଶେଷରେ ରୋହିତଙ୍କୁ ଏହି ଗୁରୁଦାୟିତ୍ୱ ମିଳିଛି।
ଆସନ୍ତା ୨୯ ଓ ୩୦ ତାରିଖରେ ଭାରତ ଓ ପାକିସ୍ତାନ ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ସୁରକ୍ଷା ତଥା ନିରାପତ୍ତା କାରଣରୁ ଇସ୍‌ଲାମାବାଦ୍‌ରେ ଏହି ମ୍ୟାଚ୍‌ ଆୟୋଜନ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। ପୂର୍ବତନ ଅଧ୍ୟକ୍ଷ ଅନିଲ ଖାନ୍ନା ଓ ତାଙ୍କ ସହେଯାଗୀ ପ୍ରବୀନ ମହାଜନ ରୋହିତଙ୍କ ନାମକୁ ନେଇ ପ୍ରସ୍ତାବ ଦେଇଥିଲେ ଓ ଏଥିରେ ସମସ୍ତେ ସମ୍ମତି ପ୍ରକାଶ କରିଥିଲେ। କେବଳ ଏହି ଟାଇ ପାଇଁ ରାଜପାଲ ନନ୍‌ ପ୍ଲେଇଙ୍ଗ୍‌ କ୍ୟାପଟେନ ଦାୟିତ୍ୱରେ ରହିବେ ବୋଲି ଏଆଇଟିଏ ତରଫରୁ କୁହାଯାଇଛି। ଉଲ୍ଲେଖଥାଉ କି, ରାଜପାଲ ୧୯୯୦ରେ ସିଓଲରେ କୋରିଆ ବିପକ୍ଷରେ ଡେଭିସ୍‌ କପ୍‌ ପଦାର୍ପଣ କରିଥିଲେ ଓ ଏଥିରେ ଭାରତ ୦-୫ରେ ପରାସ୍ତ ହୋଇଥିଲା।

Share