Categories: ଖେଳ

ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କୁ ୧୭ ମାସ ଜେଲ

ଲଣ୍ଡନ,୮।୨- ପୂର୍ବତନ ପାକିସ୍ତାନ ବ୍ୟାଟ୍ସମ୍ୟାନ ନାସିର ଜାମଶେଦ ସ୍ପଟ୍‌ ଫିକ୍ସିଂରେ ଜଡ଼ିତ ଥିଲେ। ତାଙ୍କୁ ଶୁକ୍ରବାର ୧୭ ମାସ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ୩୦ ବର୍ଷୀୟ ଜାମଶେଦଙ୍କ ସହ ଅନ୍ୟ ଦୁଇ କ୍ରିକେଟର ୟୁସେଫ ଅନଓ୍ବାର (୩୬) ଓ ମହମ୍ମଦ ଇଜାଜ (୩୪)ଙ୍କୁ ଗତ ଫେବୃୟାରୀରେ ନ୍ୟାଶନାଲ କ୍ରାଇମ ଏଜେନ୍ସି ଦ୍ୱାରା ଗିରଫ କରାଯାଇଥିଲା। ଏହି ଘଟଣାରେ ମୁଖ୍ୟ ଅନଓ୍ବାରଙ୍କୁ ୩ ବର୍ଷ ଓ ୪ ମାସ ଏବଂ ଇଜାଜଙ୍କୁ ଅଢ଼େଇ ବର୍ଷ ପାଇଁ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି। ସେଣ୍ଟ୍ରାଲ ଇଂଲଣ୍ଡ ବାସିନ୍ଦା ଜାମଶେଦ୍‌ ପାକିସ୍ତାନ ପକ୍ଷରୁ ସମସ୍ତ ଫର୍ମାଟରେ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଛନ୍ତି। ସ୍ପଟ୍‌ ଫିକ୍ସିଂ ଷଡ଼ଯନ୍ତ୍ରରେ ସାମିଲ ଥିବା ଏହି ତିନି କ୍ରିକେଟର ଗତ ଶୁଣାଣିରେ ସ୍ବୀକାର କରି ନେଇଥିଲେ। ମାଞ୍ଚେଷ୍ଟର କ୍ରାଉନ କୋର୍ଟ ଜଜ୍‌ ରିଚାର୍ଡ ମାନଶେଲ କହିଛନ୍ତି, ଅନଓ୍ବାର ଓ ଇଜାଜ ଅପରାଧରେ ଜଡ଼ିତ ଥିଲେ। କିନ୍ତୁ ଜାମଶେଦ୍‌ ଅର୍ଥ ପ୍ରୋଲୋଭନର ଶିକାର ହୋଇଥିଲେ। ଉଲ୍ଲେଖଯୋଗ୍ୟ, ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ) ୨୦୧୬ ସଂସ୍କରଣର ଶେଷ ଆଡ଼କୁ ଓ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ) ୨୦୧୭ ଫେବୃୟାରୀରେ ସ୍ପଟ୍‌ ଫିକ୍ସିଂ ହୋଇଥିଲା। ଉଭୟ ଘଟଣାରେ ଓପନିଂ ବ୍ୟାଟ୍ସମ୍ୟାନ ୩୦ ହଜାର ୟୁରୋ ପାଇଁ ଓଭରର ପ୍ରଥମ ବଲକୁ ଡଟ୍‌ କରିବା ଲାଗି ରାଜି ହୋଇଥିଲେ। ପରେ ସେ ଅନ୍ୟ ଖେଳାଳିଙ୍କୁ ସ୍ପଟ୍‌ ଫିକ୍ସିଂ ପାଇଁ ପ୍ରଲୋଭନ ଦେଇଥିଲେ। ଗତବର୍ଷ ତାଙ୍କୁ ପିସିବିର ଆଣ୍ଟି କରପଶନ ୟୁନିଟ ୧୦ ବର୍ଷ ପାଇଁ ବାସନ୍ଦ କରିଥିଲା।

Share