ଇସ୍ଲାମାବାଦ,୨୮।୮: ନିକଟରେ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଏଣୁ ଭାରତ ବିରୋଧରେ ପାକିସ୍ତାନ ନୂଆ ନୂଆ ଷଡ଼ଯନ୍ତ୍ର ରଚୁଛି। ଦିନକୁ ଦିନ ପାକିସ୍ତାନ ନେତାଙ୍କ ବିବାଦୀୟ ବୟାନ ମଧ୍ୟ ସାମ୍ନାକୁ ଆସୁଛି। ପାକିସ୍ତାନ କେବେ ପରମାଣୁ ଯୁଦ୍ଧର ଧମକ ଦେଉଛି ତ କେତେବେଳେ ପିଓକେରେ ସେନା ମୁତୟନ କରୁଛି। ଆଉ କେତେବେଳେ କରାଚୀ ଉପର ଆକାଶମାର୍ଗ ବନ୍ଦ କରିଦେଉଛି। ଏହି କ୍ରମରେ ବୁଧବାର ପାକିସ୍ତାନର ମନ୍ତ୍ରୀ ଶେଖ ରସିଦ ଅହମ୍ମଦଙ୍କ ପୁଣି ଥରେ ବିବାଦୀୟ ମନ୍ତବ୍ୟ ସାମ୍ନାକୁ ଆସିଛି। ସେ ଏବେ ଯୁଦ୍ଧର ଭବିଷ୍ୟବାଣୀ କରିଛନ୍ତି। କେବଳ ସେତିକି ନୁହେଁ, ସେ ଯୁଦ୍ଧର ସମ୍ଭାବ୍ୟ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ବୁଧବାର ପାକିସ୍ତାନରେ ଆୟୋଜିତ ଏକ ସେମିନାରରେ ଶେଖ ରସିଦ ଅକ୍ଟୋବର କିମ୍ବା ନଭେମ୍ବରରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇପାରେ ବୋଲି କହିଛନ୍ତି। ଆଉ ଏଥିପାଇଁ ଏକ ସମ୍ପ୍ରଦାୟକୁ ସେ ପ୍ରସ୍ତୁତ କରିବାକୁ ଏଠାକୁ ଆସିଛନ୍ତି ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ପାକିସ୍ତାନ ପାଖରେ ଯେଉଁ ଅସ୍ତ୍ରଶସ୍ତ୍ର ରହିଛି, ତାହା କେବଳ ଦେଖାଇବା ଲାଗି ନୁହେଁ ବ୍ୟବହାର କରିବା ଲାଗି। ତାଙ୍କର ଏହି ମନ୍ତବ୍ୟକୁ ପାକିସ୍ତାନ ଖବରଦାତା ଟୁଇଟରରେ ଶେୟାର କରିବା ପରେ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଉଲ୍ଲେଖଯୋଗ୍ୟ ଶେଖ ରସିଦଙ୍କୁ କିଛି ଦିନ ପୂର୍ବରୁ ଲଣ୍ଡନରେ ଅଣ୍ଡା ମାଡ଼ ହୋଇଥିଲା।