Categories: ଖେଳ

ପାକିସ୍ତାନ ଯିବାକୁ ଲାଗୁଛି ଡର

ଢାକା,୨୩।୧- ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଶୁକ୍ରବାରଠାରୁ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଆରମ୍ଭ ହେବ। ଏହି ସିରିଜ୍‌ ଲାଗି ବାଂଲାଦେଶ ଦଳ ପାକିସ୍ତାନରେ ପହଞ୍ଚିଛି। ମାତ୍ର ଗସ୍ତ ପୂର୍ବରୁ ଦଳର ଦକ୍ଷ ପେସର ମୁସ୍ତାଫିଜୁର ରେହମାନ ଏକ ଟୁଇଟ୍‌ କରିଛନ୍ତି, ଯେଉଁଥିରୁ ତାଙ୍କ ମନରେ ଡର ଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି। ବୁଧବାର ସନ୍ଧ୍ୟାରେ ମୁସ୍ତାଫିଜୁର ଦଳୀୟ ସାଥୀ ଖେଳାଳିଙ୍କ ସହ ଏକ ସେଲ୍‌ଫି ଅପ୍‌ଲୋଡ୍‌ କରିଥିଲେ। ଏହାର କ୍ୟାପଶନରେ ଲେଖିଥିଲେ, ପାକିସ୍ତାନ ଯାଉଛୁ। ପ୍ରାର୍ଥନାରେ ଆମକୁ ମନେ ରଖ। ଉଲ୍ଲେଖଥାଉ, ବାଂଲାଦେଶ ପୂର୍ବରୁ ଏହି ସିରିଜ୍‌ ଲାଗି ପ୍ରସ୍ତୁତ ନ ଥିଲା। କିନ୍ତୁ ଦୁଇ ଦେଶର ଅଫିସିଆଲ ଦୁବାଇଠାରେ ଆଇସିସି ମୁଖ୍ୟଙ୍କୁ ଭେଟିବା ପରେ ପାକିସ୍ତାନରେ ବାଂଲାଦେଶ ଖେଳିବାକୁ ରାଜି ହୋଇଥିଲା। ସମ୍ପୂର୍ଣ୍ଣ ସିରିଜ୍‌ରେ ୩ଟି ଟି୨୦, ୨ ଟେଷ୍ଟ ଓ ଗୋଟିଏ ଦିନିକିଆ ଖେଳାଯିବ। ଏହାକୁ ୩ ଚରଣରେ ଭାଗ କରାଯାଇଛି। ଏହି ନିଷ୍ପତ୍ତି ପରେ ବାଂଲାଦେଶ ଦଳର ସିନିୟର ଉଇକେଟକିପର ବ୍ୟାଟ୍ସମ୍ୟାନ ମୁଶଫିକର ରହିମ ବ୍ୟକ୍ତିଗତ କାରଣ ଦର୍ଶାଇ ସିରିଜ୍‌ରୁ ଓହରି ଯାଇଥିଲେ। କେବଳ ଏତିକି ନୁହେଁ, ଦଳର ୫ କୋଚିଂ ଷ୍ଟାର ମଧ୍ୟ ସମାନ ନିଷ୍ପତ୍ତି ନେଇଥିଲେ।

Share