ପାକିସ୍ତାନ ଲିଙ୍କ୍‌ ଅଭିଯୋଗ: ବିଧାନସଭାରେ କେୟାର ହସ୍ପିଟାଲ ପ୍ରସଙ୍ଗ ଉଠାଇଲେ ବିରୋଧୀ

ଭୁବନେଶ୍ୱର, ୨୮ା୧୧(ବ୍ୟୁରୋ): ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲର ପାକିସ୍ତାନ ସହ ଲିଙ୍କ୍‌ ଥିବାନେଇ ବିଧାନସଭାରେ ବିରୋଧୀ ଆପତ୍ତି ଉଠାଇଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲେ।
ବୁଧବାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ପ୍ରଦୀପ୍ତ କହିଥିଲେ ଯେ, କେୟାର ହସ୍ପିଟାଲକୁ ବିକ୍ରି କରିବା ପାଇଁ ଯୋଜନା ଚାଲିଛି, ଯାହା ନାମରେ କିଡ୍‌ନୀ ଚୋରି ଅଭିଯୋଗ ରହିଛି। ଜଣେ ପାକିସ୍ତାନୀ ଏହି ହସ୍ପିଟାଲକୁ କିଣିବାକୁ ଚେଷ୍ଟା କରୁଛନ୍ତି। ସେହିପରି ହସ୍ପିଟାଲର ଏନଓସି ନ ଥିବା ବିରୋଧୀ ଦଳ ନେତା ଅଭିଯୋଗ କରିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ତଦନ୍ତ ରିପୋର୍ଟ ଆଧାରରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ। ବିରୋଧୀ ଗୃହରେ ଏହି ପ୍ରସଙ୍ଗ ଉଠାଇବା ପରେ ତୁରନ୍ତ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ କେୟାର ହସ୍ପିଟାଲରେ ଯାଞ୍ଚ କରାଯାଇଥିଲା। ହସ୍ପିଟାଲର ମେଡିସିନ ଷ୍ଟକ, ରେଜିଷ୍ଟର, ବାହାରୁ ଆସୁଥିବା ମେଡିସିନର ବିଲ ଇତ୍ୟାଦି ଯାଞ୍ଚ ହୋଇଥିଲା। ଅପରପକ୍ଷେରେ କେୟାର ହସ୍ପିଟାଲ ସିଓଓ ଗୁରିତ୍‌ କୌର ସେଠୀ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ, ହସ୍ପିଟାଲ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ, ମିଥ୍ୟା ଓ କପୋଳକଳ୍ପିତ। ପାକିସ୍ତାନ ସହ ହସ୍ପିଟାଲର କୌଣସି ଲିଙ୍କ ନାହିଁ। ଏହା ଆମେରିକାର ଏଭର କେୟାର ହେଲ୍‌ଥ ଫଣ୍ଡ ମାଲିକାନାରେ ରହିଛି। ଏଥିସହିତ ହସ୍ପିଟାଲର ଏନଓସି ନ ଥିବା ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି। ସେହିପରି ଭୁବନେଶ୍ୱର କେୟାର ହସ୍ପିଟାଲରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି କିଡ୍‌ନୀ ପ୍ରତିରୋପଣ ହୋଇନାହିଁ। ହସ୍ପିଟାଲର ନାମକୁ ବଦନାମ୍‌ କରିବାକୁ ପ୍ରୟାସ କରାଯାଇଥିବା ଗୁରିତ୍‌ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି।

Share