ପାକିସ୍ତାନ ସେନା ମୁଖପାତ୍ରଙ୍କ ଟୁଇଟ୍‌କୁ ଓଡ଼ିଆ ନେତାଙ୍କ ସମାଲୋଚନା

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଖ୍ରୀଷ୍ଟମାସ ଶୁଭେଚ୍ଛା ଜଣାଇବା ବାହାନାରେ ପାକିସ୍ତାନ ସେନା ମୁଖପାତ୍ର ତଥା ମେଜର ଜେନେରାଲ ଆସିଫ ଗଫୁର ଓଡିଶାକୁ ବୁଧବାର ଟାର୍ଗେଟ କରିଥିଲେ। ସେ ହିନ୍ଦୁତ୍ୱ ଆସକ୍ତ ରାଜ୍ୟର ଖ୍ରୀଷ୍ଟ ଧର୍ମାବଲମ୍ବୀ ବୋଲି କହି ଓଡିଶାକୁ ଟାର୍ଗେଟ କରିଛନ୍ତି। ତେବେ ହଠାତ୍‌ ଓଡିଶା କଥା ଉଠାଇ ପାକିସ୍ତାନ ସେନା ଅଧିକାରୀଙ୍କ ଏଭଳି ଟୁଇଟ୍‌କୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି। ଓଡିଶା ପାଇଁ କିଛି ବିପଦ ଥାଇପାରେ ବୋଲି କୁହାଯାଉଥିବା ବେଳେ ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ କିନ୍ତୁ ପାଲଟା ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ବିଜେଡି ମୁଖପାତ୍ର ତଥା ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର କହିଛନ୍ତି, ପାକିସ୍ତାନ ବିଶ୍ୱରେ ଏକଘରିିଆ ହେଇଯିବା ପରେ ଏଭଳି ବିଷୟକୁ ଉତ୍‌ଥାପନ କରି କୌଣସି ସ୍ଥାନରେ ବିଭ୍ରାନ୍ତ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛି। ଭାରତର ଲୋକ ହିସାବରେ ଏହାକୁ ଆମେ ଦୃଢତାର ସହ ବିରୋଧ କରିବା ଦରକାର ବୋଲି ସେ କହିଛନ୍ତି। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ଓଡିଶାରେ ଧର୍ମନିରପେକ୍ଷତାର ଯେଉଁ ବ୍ୟାପକତା ଅଛି ଏବଂ ଏହା ହେଉଛି ପ୍ରଭୁ ଜଗନ୍ନାଥଙ୍କ ଦେଶ, ତାକୁ କେବଳ ପାକିସ୍ତାନ ନୁହେଁ ବହୁ ଦେଶ ଅଛନ୍ତି ଯେଉଁମାନଙ୍କ ପେଟରେ ଏଥିପାଇଁ ପୀଡା ହେଉଛି। ସେମାନେ ଟୁଇଟ୍‌ କଲେ ମଧ୍ୟ ତାହାକୁ ହିନ୍ଦୁ, ମୁସଲମାନ ଏବଂ ଖ୍ରୀଷ୍ଟିଆନ କେହି ଶୁଣୁନାହାନ୍ତି ବୋଲି ବିଷ୍ଣୁ କହିଛନ୍ତି। କଂଗ୍ରେସ ଏମ୍‌ପି ସପ୍ତଗିରି ଉଲ୍ଲାକା କହିଛନ୍ତି, ବିଜେଡି ସଭାପତି ସିଏଏ(ନାଗରିକତ୍ୱ ସଂଶୋଧନ ଆଇନ)କୁ ଗ୍ରହଣ କରିବା କାରଣରୁ ପାକିସ୍ତାନ ଏପରି କହିଥାଇପାରେ। କାରଣ ଯାହା ହେଉ ପଛେ ପାକିସ୍ତାନ ସେନା ଅଧିକାରୀ କରିଥିବା ଟୁଇଟ୍‌ ନିନ୍ଦନୀୟ। ଆମେ ସମସ୍ତେ ମିଳିମିଶି ଅଛୁ ଏବଂ ରହିଥିବୁ ବୋଲି ଉଲ୍ଲାକାକହିଛନ୍ତି।

Share