Categories: ଖେଳ

ପାକିସ୍ତାନ ହକି ମହାସଂଘକୁ ଏଫ୍‌ଆଇଏଚ୍‌ର ଜରିମାନା

କରାଚୀ, ୧୮ା୪ (ପି.ଟି.)- ପ୍ରତିଶ୍ରୁତି ଦେଇ ମଧ୍ୟ ପ୍ରୋ-ଲିଗ୍‌  ମ୍ୟାଚ ପାଇଁ  ଦଳ ପଠାଇ ନ ଥିବାରୁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ପାକିସ୍ତାନ ହକି ମହାସଂଘକୁ ୧୭୦,୦୦୦ ୟୁରୋ ଜରିମାନା କରିଛି।  ପାକିସ୍ତାନ ଏହାର ପ୍ରୋ-ଲିଗ୍‌ ମ୍ୟାଚଗୁଡ଼ିକ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ପିଏଚ୍‌ଏଫ୍‌ ଆର୍ଥିକ ସଙ୍କଟରେ ଥିବାରୁ ବର୍ତ୍ତମାନ ପରିସ୍ଥିତିରେ ସମ୍ପୂର୍ଣ୍ଣ ଜରିମାନା ଦେବାକୁ ଅସମର୍ଥ। ଜରିମାନାର ପରିମାଣ ହ୍ରାସ କରିବା ସହ କିସ୍ତିରେ ଜମା କରିବା ଲାଗି ଅନୁମତି ଦେବା ଲାଗି ପିଏଚ୍‌ଏଫ୍‌ ସାଧାରଣ ସମ୍ପାଦକ ଶାହବାଜ ଅହମ୍ମଦ ଏଫ୍‌ଆଇଏଚ୍‌କୁ ଅନୁରୋଧ କରିଥିବା ବୁଧବାର ସୂଚନା ଦେଇଛନ୍ତି। ଏଫ୍‌ଆଇଏଚ୍‌ ଜୁନ୍‌ ୨୦ ସୁଦ୍ଧା ଜରିମାନା ଦାଖଲ କରିବା ଲାଗି ପିଏଚ୍‌ଏଫ୍‌କୁ ନିର୍ଦ୍ଦେଶ ଦେଇଛି। ତା’ନ ହେଲେ ଜରିମାନା ପରିମାଣ ଦୁଇ ଗୁଣା ହୋଇଯିବ। ଗତ ଡିସେମ୍ବରରେ ଭାରତରେ ଅନୁଷ୍ଠିତ ବିଶ୍ୱକପ୍‌ରେ ପାକିସ୍ତାନ ହକି ଦଳ ୧୧ଶ ସ୍ଥାନରେ ରହିଥିଲା। ଦଳର ଏହି ପ୍ରଦର୍ଶନ ଉପରେ ପାକିସ୍ତାନ ସରକାର ପିଏଚ୍‌ଏଫ୍‌ ଉପରେ ବିରକ୍ତି ପ୍ରକାଶ କରିବା ସହ ମହାସଂଘକୁ ଆଉ ପାଣ୍ଠି ଦେବା ଲାଗି ମନା କରିଦେଇଥିଲେ। ପାଣ୍ଠି ଅଭାବରୁ ଏପ୍ରିଲ ୨୦ରେ କରାଚୀଠାରେ ହେବାକୁ ଥିବା ଜାତୀୟ ହକି ଚାମ୍ପିୟନଶିପ୍‌କୁ ବାତିଲ କରିବା ଲାଗି ପିଏଚ୍‌ଏଫ୍‌ ବାଧ୍ୟ ହୋଇଛି। ଶାହବାଜ ଏଫ୍‌ଏଆଇଏଚ୍‌ କାର୍ଯ୍ୟନିର୍ବାହୀ ବୋର୍ଡର ଜଣେ ସଦସ୍ୟ ଅଟନ୍ତି, ଯାହାର ମୁଖ୍ୟ ଭାରତର ନରିନ୍ଦର ବାତ୍ରା ଅଛନ୍ତି।  ବିଶ୍ୱକପ୍‌ ବିପର୍ଯ୍ୟୟ ପରେ ସେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ। ମାତ୍ର ପିଏଚ୍‌ଏଫ୍‌ ସଭାପତି ବ୍ରିଗେଡିୟର (ଅବସରପ୍ରାପ୍ତ) ଖଲିଦ ସାଜିଦ ଖୋକାର ଅଗ୍ରାହ୍ୟ କରିଦେଇଥିଲେ। ଫଳରେ ସେ ତାଙ୍କ ପଦବୀକୁ ଫେରି ଆସିଥିଲେ।

Share