ପାକ୍‌ଠାରୁ ସ୍ବାଧୀନ ହେବାକୁ ସହାୟତା ଲୋଡ଼ିଲେ ବାଲୋଚ, ସିନ୍ଧି ସଙ୍ଗଠନ

ହ୍ୟୁଷ୍ଟନ,୨୩ା୯(ପି.ଟି.): ପାକିସ୍ତାନଠାରୁ ସ୍ବାଧୀନତା ପାଇବା ଲାଗି ବାଲୋଚ, ସିନ୍ଧି ଓ ପାସ୍ତୋ ସମ୍ପ୍ରଦାୟର ପ୍ରତିନିଧିମାନେ ହ୍ୟୁଷ୍ଟନର ଏନ୍‌ଆରଜି ଷ୍ଟାଡିୟମ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିକ୍ଷୋଭ ପ୍ରଦର୍ଶନ ଲାଗି ଆମେରିକାର ବିଭିନ୍ନ ଅଞ୍ଚଳରୁ ଉପରୋକ୍ତ ସମ୍ପ୍ରଦାୟର ସଦସ୍ୟମାନେ ଶନିବାର ଶତାଧିକ ସଂଖ୍ୟାରେ ହ୍ୟୁଷ୍ଟନ୍‌ରେ ପହଞ୍ଚତ୍ଥିଲେ। ପାକ୍‌ ସରକାର ଉକ୍ତ ସମ୍ପ୍ରଦାୟର ମାନବାଧିକାର ଉଲ୍ଲଂଘନ କରିଥିବା ସେମାନେ ଉଲ୍ଲେଖ କରିଥିଲେ। ଆମେ ପାକିସ୍ତାନଠାରୁ ସ୍ବାଧୀନ ହେବାକୁ ଚାହୁଁଛୁ। ୧୯୭୧ରେ ବାଲାଂଦେଶକୁ ଭାରତ ଯେଭଳି ସହାୟତା କରିଥିଲା ସେମାନଙ୍କ ସ୍ବାଧୀନତା ପାଇଁ ଭାରତ ଓ ଆମେରିକା ସହାୟତା କରିବା ଆବଶ୍ୟକ ବୋଲି ବାଲୋଚ ଜାତୀୟ ଆନ୍ଦୋଳନର ଆମେରିକୀୟ ପ୍ରତିନିଧି ନବି ବକ୍ସ ବାଲୋଚ କହିଛନ୍ତି। ଏଥିପାଇଁ ସେମାନେ ମୋଦି ଓ ଟ୍ରମ୍ପ୍‌ଙ୍କ ସହାୟତା ନିମନ୍ତେ ଅନୁରୋଧ କରିବାକୁ ଆସିଛନ୍ତି। ଶତାଧିକ ସିନ୍ଧି ଆମେରିକୀୟ ହାଓଡି ମୋଦି କାର୍ଯ୍ୟକ୍ରମ ହେବାକୁ ଥିତ୍ବା ଏନ୍‌ଆରଜି ଷ୍ଟାଡିୟମ ବାହାରେ ବିକ୍ଷୋଭ କରିବାକୁ ଯୋଜନା କରିଥିଲେ। ସେମାନଙ୍କ ପୋଷ୍ଟର ଓ ବ୍ୟାନର ମୋଦି ଏବଂ ଟ୍ରମ୍ପ୍‌ଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ଉକ୍ତ ସମ୍ପ୍ରଦାୟ ଆଶାବାଦୀ ରହିଛି।

Share