Categories: ଜାତୀୟ

ପାକ୍‌ର ଅସ୍ତ୍ରଭର୍ତ୍ତି ଡ୍ରୋନ୍‌କୁ ଖସାଇଲା ବିଏସ୍‌ଏଫ୍‌

ଜମ୍ମୁ,୨୧ା୬(ପି.ଟି.): ଅନ୍ତର୍ଜାତୀୟ ସୀମା ନିକଟବର୍ତ୍ତୀ ଜମ୍ମୁ-କଶ୍ମୀରର କଠୁଆ ଜିଲା ଉପରେ ଉଡ଼ୁଥିବା ପାକିସ୍ତାନର ଏକ ଡ୍ରୋନ୍‌କୁ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଶନିବାର ଖସାଇଦେଇଛି। ଉକ୍ତ ଡ୍ରୋନ୍‌ରେ ଅତ୍ୟାଧୁନିକ ରାଇଫଲ, ଗ୍ରେନେଡ ଆଦି ଭର୍ତ୍ତି ହୋଇଥିଲା। ଆତଙ୍କବାଦୀଙ୍କ ବ୍ୟବହାର ଲାଗି ଡ୍ରୋନ୍‌ରେ ଏହି ଅସ୍ତ୍ର ଅଣାଯାଇଥିବା କୁହାଯାଉଛି। ଜମ୍ମୁ ଅଞ୍ଚଳରେ ପ୍ରଥମ ଥର ପାଇଁ ବିଏସ୍‌ଏଫ୍‌ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଭର୍ତ୍ତି ଡ୍ରୋନ୍‌କୁ ଖସାଇଛି। ଭାରତ ୫ଟା ୧୦ ସମୟରେ ଡ୍ରୋନ୍‌ଟି ପାନସାର ସୀମାନ୍ତ ଆଉଟପୋଷ୍ଟ ନିକଟ ରାଠୁଆ ଗ୍ରାମ ଉପରେ ଉଡ଼ୁଥିବାବେଳେ ପାଟ୍ରୋଲିଂ କରୁଥିବା ବିଏସ୍‌ଏଫ ଟିମ୍‌ ଏହାକୁ ଦେଖିଥିଲା। ଭାରତୀୟ ଅଞ୍ଚଳର ୨୫୦ ମିଟର ଭିତରକୁ ଆସିଥିବା ଉକ୍ତ ଡ୍ରୋନକୁ ଖସାଇବା ପାଇଁ ବିଏସ୍‌ଏଫ ଯବାନ ୯ ରାଉଣ୍ଡ ଗୁଳି ଚଳାଇଥିଲେ। ସୀମା ସେପଟେ ଥିବା ପାକିସ୍ତାନୀ ରେଞ୍ଜରମାନେ ଉକ୍ତ ଡ୍ରୋନ୍‌କୁ ନିୟନ୍ତ୍ରଣ କରୁଥିବା ବିଶ୍ୱାସ କରାଯାଉଛି।

Share